ବିଲ୍, ଟୋଲ୍, ପରିବହନ ପାଇଁ ଡିଜିଟାଲ୍ ପେମେଣ୍ଟ୍ ଖୁବ୍ ଶୀଘ୍ର

22

ଜନ ଧନ, ଆଧାର ପେମେଣ୍ଟ୍ ଏବଂ ମୋବାଇଲ୍ ପେମେଣ୍ଟ୍ ସମାଧାନ ପ୍ରଦାନ କରିବାରେ ବିଶେଷ ସଫଳତା ହାସଲ କରିଥିବା ‘ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ)ର ପରବର୍ତ୍ତି ଲକ୍ଷ୍ୟ ହେଉଛି ସମସ୍ତ ପ୍ରକାର ବିଲ୍, ଟୋଲ୍ ଏବଂ ବସ୍ ଏବଂ ଟ୍ରେନ୍ ପରିବହନ ପାଇଁ ଡିଜିଟାଲ୍ ପେମେଣ୍ଟ୍ ସମାଧାନ ପ୍ରଦାନ କରିବା । ଏନ୍ସିପିଆଇର ଏମଡି ତଥା ସିଇଓ ଏ ପି ହୋତା ଆଜି ଓଡ଼ିଶା ଗସ୍ତରେ ଆସି କହିଛନ୍ତି ଯେ ଏନ୍ପିସିଆଇର ୬ଟି ସ୍ତମ୍ଭ ହେଉଛି ଜନଧନ, ଆଧାର, ମୋବାଇଲ୍, ବିଲ୍, ଟ୍ରାନ୍ସପୋର୍ଟ ଏବଂ ଟୋଲ୍ ।

ବିଲ୍ ପାଇଁ ଏନ୍ପିସିଆଇ ଆଣିବ ଭାରତ ବିଲ୍ ପେମେଣ୍ଟ୍ ସିଷ୍ଟମ୍ (ବିପିପିଏସ୍) । ଦେଶର ଜାତୀୟ ରାଜପଥଗୁଡ଼ିକରେ ଥିବା ୩୭୫ ଟୋଲ୍ ପ୍ଳାଜାରେ ମଧ୍ୟ ଡିଜିଟାଲ୍ ପେମେଣ୍ଟ୍ ସୁବିଧା ପ୍ରଦାନ କରିବା ଦିଗରେ ଏନ୍ପିସିଆଇ କାମ କରିବ ବୋଲି ସେ କହିଛନ୍ତି । ୨୦୧୦ରେ ଏନପିସିଆଇ ଆରମ୍ଭ ହୋଇଥିଲା ଯାହା ହେଉଛି ଦେଶର ପ୍ରଥମ ସ୍ୱଦେଶୀ ପେମେଣ୍ଟ୍ ସମାଧାନ ପ୍ରଦାନ କରୁଥିବା ସଂସ୍ଥା । ଏହି ସଂସ୍ଥାର ଅଂଶୀଦାର ହେଉଛନ୍ତି ୫୬ଟି ବ୍ୟାଙ୍କ । ସେଥିରେ ୧୯ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ୧୭ଟି ଘରୋଇ, ୩ଟି ବିଦେଶୀ, ୭ଟି ମଲ୍ଟି ଷ୍ଟେଟ୍ କୋଅପରେଟିଭ୍ ଏବଂ ୧୦ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ରହିଛନ୍ତି ।

ଶ୍ରୀ ହୋତା କହିଛନ୍ତି ଯେ ଦେଶରେ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଚଳିତ ଆର୍ଥିକ ବର୍ଷ ପାଇଁ ଡିଜିଟାଲ୍ ପେମେଣ୍ଟର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ୨୦୧୧-୧୨ରେ ଡିଜିଟାଲ୍ ପେମେଣ୍ଟ୍ ପରିମାଣ ୨୫୬ କୋଟି ଟଙ୍କା ଥିଲା ଯାହା ୨୦୧୬-୧୭ରେ ୯୧୦ କୋଟି ଟଙ୍କାରେ ପହଞ୍ଚିଯାଇଛି । ୨୦୧୭-୧୮ରେ ୨୫୦୦ କୋଟି ଟଙ୍କାର ଡିଜିଟାଲ୍ ପେମେଣ୍ଟ୍ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏନସିପିଆଇର ପ୍ରମୁଖ ସେବା ଭିତରେ ରହିଛି ଆଇଏମପିଏସ୍, ଭିମ୍ ଆପ୍, ରୁପେ କାର୍ଡ ଇତ୍ୟାଦି । ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ଭିମ୍ ଆପ୍ ଡାଉନଲୋଡ୍ ପରିମାଣ ୧୬ ନିୟୁତ ଅତିକ୍ରମ କରିଛି । ଏହାର ଆଉ ଏକ ନୂତନ ଭର୍ସନ୍ ଖୁବ୍ ଶୀଘ୍ର ଉପଲବ୍ଧ ହେବ ।