ଦିଗପହଣ୍ଡିରେ ଭାରସାମ୍ୟ ହରାଇ ସ୍କୁଲ ଭ୍ୟାନ ଦୁର୍ଘଟଣାଗ୍ରସ୍ତ : ଘଟଣା ସ୍ଥଳରେ ପ୍ରଥମ ଶ୍ରେଣୀ ଛାତ୍ର ମୃତ, ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା

244

କନକ ବ୍ୟୁରୋ : ଅଟୋରୁ ଖସିପଡ଼ି ୫ ବର୍ଷର ଛାତ୍ର ମୃତ । ବ୍ରହ୍ମପୁର ଦିଗପହଣ୍ଡି ନିକଟ ତିଳେଶ୍ୱର ରାମମନ୍ଦିର ନିକଟରେ ବୁଧବାର ସକାଳେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ମୃତ ଛାତ୍ର ହେଲେ ଦିଗପହଣ୍ଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୫ ବର୍ଷର ଛାତ୍ର ଅଜୟ ପ୍ରଧାନ । ତେବେ ଛାତ୍ର ମୃତ୍ୟୁକୁ ନେଇ ଉତେଜନା ଲାଗିରହିଛି । ଉତ୍ୟକ୍ତ ଲୋକମାନେ ଦିଗପହଣ୍ଡି-ଚିକିଟି ରାସ୍ତା ଅବରୋଧ କରିଛନ୍ତି ।

ସବୁଦିନ ପରି ଆଜି ବି ସକାଳୁସକାଳୁ ଅଜୟଙ୍କ ମା’ ପୁଅକୁ ସ୍କୁଲ ପଠାଇବା ପାଇଁ ବ୍ୟାଗରେ ବହିଖାତ, ଜଳଖିଆ ଟିପିନ୍ ଓ ପାଣି ବୋତଲ ଭରି ଅଟୋରେ ବସାଇଥିଲେ । ଅଜୟ ସ୍କୁଲ ଅଟୋରେ ବସି ଦିଗପହଣ୍ଡି ସ୍ଥିତ ଏକ ଘରୋଇ ସ୍କୁଲକୁ ଯାଉଥିବା ବେଳେ ତିଳେଶ୍ୱର ରାମମନ୍ଦିର ନିକଟରେ ଅଟୋ ଚାଳକ ହଠାତ ବ୍ରେକ୍ ମାରି ଦେଇଥିଲେ। ଫଳରେ ଭାରସାମ୍ୟ ହରାଇ ଅଜୟ ଅଟୋରୁ ଛିଟିକି ରାସ୍ତାରେ ପଡ଼ି ଯାଇଥିଲେ ।

ରାସ୍ତା ପଡ଼ିଯିବାରୁ ଅଜୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ   । ଏପଟେ ଅଜୟଙ୍କୁ ସ୍କୁଲ ପଠାଇ ଘର କାମରେ ବ୍ୟସ୍ତ ରହି ଯାଇଥିବା ମା’ ଯେତେବେଳେ ପୁଅଙ୍କ ମୃତ୍ୟୁ ଖବର ଶୁଣିଥିଲେ ସେ ପାଗଳପ୍ରାୟ ହୋଇପଡ଼ିଛନ୍ତି । ଅଜୟ ସମ୍ପର୍କୀୟଙ୍କ କାନ୍ଦବୋବାଳିରେ ହସ୍ପିଟାଲ୍ ପରିସରରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ଦିଗପହଣ୍ଡି-ଚିକିଟି ରାସ୍ତା ଅବରୋଧ କରିଛନ୍ତି ।