ଭୁଷୁଡା ଓଭରବ୍ରିଜକୁ ନେଇ ବୟାନବାଜୀ ! ସଚିବାଳୟରୁ ସିପି ଅଫିସ ଯାଏଁ ପଣ୍ଡା ତାତି

20

କନକ ବ୍ୟୁରୋ : ଭୁବନେଶ୍ୱର ବମିଖାଲରେ ଭୁଷୁଡିଲା ଓଭରବ୍ରିଜ । ଜଣଙ୍କର ଜୀବନ ଗଲା, ଆଉ ଅନେକ ଆହତ ହେଲେ । ନେତାମନ୍ତ୍ରୀଙ୍କ ଭିଡ ଲାଗିଲା ଘଟଣାସ୍ଥଳ ଓ ଡାକ୍ତରଖାନାରେ । ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଲେ । ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ହେଲେ । ୨ଜଣଙ୍କୁ ନିଲମ୍ବିତ କରାଗଲା । ପଣ୍ଡା ଇନଫ୍ରାର ରେଜିଷ୍ଟଡ ଅଫିସ କୁ ବି ସିଲ କରାଗଲା । ହେଲେ ଆଜି ଦିନ ତମାମ ଏହି ଘଟଣାକୁ ନେଇ ଚାଲିଛି ବୟାନବାଜି । କେତେବେଳେ ମିଡିଆରେ ତ ପୁଣି କେତେବେଳେ ସୋସିଆଲ ମିଡିଆରେ ବୟାନବାଜି ହୋଇଛି । ତେବେ ନଜର ପକାନ୍ତୁ ସଚିବାଳୟରୁ ସିପି ଅଫିସ ଯାଏଁ କିଏ କଣ କହିଛନ୍ତି ।

ପୋଲ ଓ ପୋଲକୁ ନେଇ ଆଜି ଦିନ ସାରା ତାତି । ବିଧାନସଭା ବି ଅଚଳ । ବାରମ୍ବାର ଗୃହ ମୂଲତବୀ ହୋଇଛି ବମିଖାଲ ଓଭରବ୍ରିଜ ଭୁଷୁଡିବା ଘଟଣା ପାଇଁ । ଶେଷରେ ବାଚସ୍ପତି ବାଧ୍ୟ ହୋଇ ସର୍ବଦଳୀୟ ବୈଠକ ଡାକିଛନ୍ତି । ଅବଶ୍ୟ କାର୍ଯ୍ୟ ପରାମର୍ଶ ଦାତା କମିଟି ସମୟ ଧାର୍ଯ୍ୟ କଲେ ଏହି ଘଟଣାରେ ଆଲୋଚନା ହେବ ବୋଲି ନିଷ୍ପତି ନିଆଯିବା ପରେ ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ଉଭୟ ଶାସକ ଓ ବିରୋଧୀ ରାଜି ହୋଇଛନ୍ତି ।

ତେବେ ଓଭରବ୍ରିଜ ନିର୍ମାଣ କରୁଥିବା ପଣ୍ଡା ଇନଫ୍ରାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଘଟଣାକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ରଖିଥିଲେ । ବମିଖାଲ ଓଭରବ୍ରିଜ ଭୁଷୁଡିବା ଘଟଣାରେ ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଛି ଓ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମାଗଣା ଚିକିତ୍ସା ଓ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବିବୃତିରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଗୃହରେ ବେଶ ହଙ୍ଗାମା କରିଥିଲେ ବିରୋଧୀ । ବିରୋଧୀଦଳ ନେତା ନରସିଂହ ମିଶ୍ର ମୋସନ ମାଧ୍ୟମରେ ଏହାକୁ ନେଇ ଆଲୋଚନା କରିବାକୁ ଚାହୁଁଥିବା ବେଳେ ବାଚସ୍ପତି ଏନେଇ ଅନୁମତି ନକରିବାରୁ ବିରୋଧୀ ହଟ୍ଟଗୋଳ କରିଥିଲେ । ବାଚସ୍ପତି ପକ୍ଷପାତିତା କରୁଛନ୍ତି ବୋଲି କହିଛନ୍ତି ନରସିଂହ ।

ନରସିଂହ କହିଛନ୍ତି ଏମିତି ଘଟଣା ପ୍ରଥମ ନୁହଁ । ଆଗରୁ ବି ଏଭଳି ହୋଇଛି । ତେଣୁ ମୋସନ ଆଣି ଆଲୋଚନା କରାଯାଉ ବୋଲି ଦାବୀ କରିଥିଲି କିନ୍ତୁ ବାଚସ୍ଫତି କହିବାକୁ ଦେଲେନି । ହେଲେ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଦେଲେ । ଏଭଳି କରି ବାଚସ୍ପତି ପକ୍ଷପାତିତା କରୁଛନ୍ତି ବୋଲି ନରସିଂହ କହିଛନ୍ତି ।

ସେପଟେ ଏନେଇ ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେପି । ସାମ୍ବାଦିକ ସମ୍ମିଳନୀରେ ଅରୁଣଙ୍କ ନାଁରେ ଆଣିଛି ସଙ୍ଗୀନ ଅଭିଯୋଗ । ସଫା ସଫା ଦଳ କହିଛି, ଅରୁଣ ହିଁ ଏହାର ପ୍ରଛଦପଟ୍ଟରେ ଅଛନ୍ତି । ଯେଉଁଦିନ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଲେ, ସେଦିନ ପଣ୍ଡା ଇନଫ୍ରା ମାଲିକ ଅରୁଣଙ୍କ ପାଖେ ପାଖେ ଥିଲେ ଓ ଗୋଟିଏ ଗାଡିରେ ପୁରୀ ଯାଇଥିଲେ । ଅରୁଣଙ୍କ ପାଇଁ ପଣ୍ଡା ଇନଫ୍ରା ଏହି କାମ ପାଇଥିଲେ ବୋଲି ବିଜେପି ଅଭିଯୋଗ କରିଛି ।

ଅନ୍ୟପଟେ ପୂର୍ତ୍ତ ସଚିବ ନଳୀନୀକାନ୍ତ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଠୁ ତଦନ୍ତ ଆରମ୍ଭ ହୋଇଛି । ୭ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଟିମକୁ କୁହାଯାଇଛି । ଦୋଷୀ ଯିଏ ବି ହୋଇଥିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଚିବ କହିଛନ୍ତି ।

ବିଜେପି ନେତା ଗୋଲକ ମହାପାତ୍ର ଓ ପ୍ରଦୀପ ପୁରୋହିତ ସରକାରଙ୍କୁ ଭତ୍ସନା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି, ଏହା ହେଉଛି ଶ୍ରେଷ୍ଠ ପ୍ରଶାସକଙ୍କ ଶ୍ରେଷ୍ଠ ଭ୍ରଷ୍ଟାଚାର । ସଂସ୍ଥା ବିଜେଡିର ସ୍ୱାଭିମାନ ସମାବେଶ ପାଇଁ ୧୦ କୋଟି ଦେଇଛି । ବଡ ମାଛର ସୁରକ୍ଷା ପାଇଁ ଛୋଟ ମାଛକୁ ସସପେଣ୍ଡ କରାଯାଉଛି ବୋଲି କୁହାଯାଇଛି । ବ୍ରିଜର ଏଲ୍ ସେପକୁ ଟି ସେପରେ ପରିବର୍ତ୍ତନ କରାଯାଇଛି । ତେବେ ନୈତିକତା ଦୃଷ୍ଟିରୁ ପୁର୍ତ୍ତ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ଦାବୀ କରିଛି ବିଜେପି ।

ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଏଥିରେ ଅରୁଣ ସାହୁଙ୍କ ଟଙ୍କା ଲାଗିଛି । ପୂର୍ବରୁ ଜଟଣୀ ଓ ସମ୍ବଲପୁରରେ ପଣ୍ଡା ଇନଫ୍ରା ନାଁରେ ଅଭିଯୋଗ ଥିଲା । ଏନେଇ ତଦନ୍ତ କରିବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ଥିଲା । କିନ୍ତୁ ପୂର୍ବତନ ଆଇନମନ୍ତ୍ରୀଙ୍କ ସହାୟତାରେ କାର୍ଯ୍ୟ କରୁଛି ସଂସ୍ଥା । ମୁଖ୍ୟମନ୍ତ୍ରୀ ପିସି ଖାଇ ଠିକା ସଂସ୍ଥାକୁ ଅନୁଗ୍ରହ ଦେଖାଇଛନ୍ତି । ସେଥିପାଇଁ ପଣ୍ଡା ଇନଫ୍ରା ବିରୁଦ୍ଧରେ ତଦନ୍ତ କରାଗଲାନି । ପଣ୍ଡା ଇନଫ୍ରା ଏକ ବ୍ଲାକଲିଷ୍ଟେଡ କମ୍ପାନୀ । ତଥାପି ଉକ୍ତ କମ୍ପାନୀକୁ ଅନୁକମ୍ପା ଦେଖାଯାଇଛି । ପିସି ବନ୍ଦ କରିବା ନାଁରେ ଖାଲି ଗ୍ରାମସେବକଙ୍କୁ ଜେଲ ପଠାଯାଉଛି । ହେଲେ ଏହି ଘଟଣାରେ ଏବେ କିଏ ଜେଲ ଯିବ ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି ।

ପ୍ରଦୀପଙ୍କ ଅଭିଯୋଗକୁ ତୁରନ୍ତ ଖଣ୍ଡନ କରିଛନ୍ତି ବିଜେଡି ନେତା ଅରୁଣ ସାହୁ । ଅଭିଯୋଗକୁ ମିଥ୍ୟା କହିବା ସହ ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ଅରୁଣ କହିଛନ୍ତି । ସେ କହିଛନ୍ତି ମୋର ପତ୍ୟକ୍ଷ କିମ୍ବା ପରୋକ୍ଷ ସଂପର୍କ ନାହିଁ । ଯଦି ତଥ୍ୟ ଅଛି ମୋର ସଭ୍ୟପଦ ରଦ୍ଦ ପାଇଁ ଉଦ୍ୟମ କରନ୍ତୁ । ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେପି ।

ପୁଲିସ କମିଶନର ୱାଇ ବି ଖୁରାନିଆ ଓ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଲକ୍ଷ୍ମୀସାଗର ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି ଓ ସେହି ଆଧାରରେ ବିଭିନ୍ନ ଦଫା ଲଗାଯାଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପୁଲିସ ଖୋଜୁଥିବା ଡିଜି କହିଛନ୍ତି ।

ସୋସିଆଲ ମିଡିଆରେ ବି ଏହାକୁ ନେଇ ବିତର୍କର ପାହାଡ ତିଆରି ହୋଇଛି । ଗୋଟିଏ ପରିବାର ହସଖୁସି ଛଡାଇ ନେଇଥିବା ଏହି ମନୁଷ୍ୟକୃତ ଦୁର୍ଘଟଣାରେ ହତ୍ୟା ମାମଲା କାହିଁକି ରୁଜୁ କରାଯିବ ନାହିଁ ବୋଲି ଏବେ ପ୍ରଶ୍ନ ଉଠିଛି । ପୂର୍ବରୁ କୋଲକାତାରେ ଓଭରବ୍ରିଜ ଭୁଷୁଡିବା ଘଟଣାରେ ହତ୍ୟା ମାମଲା ରୁଜୁ ହୋଇଛି । ତେଣୁ ଓଡିଶାର ଏହି ଘଟଣାରେ କାହିଁକି ସମାନ ଦଫା ଲଗାଯିବ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ଅନ୍ୟପଟେ ପଣ୍ଡା ଇନଫ୍ରା କରୁଥିବା ଜଟଣୀ ଓ ଅନ୍ୟାନ୍ୟ ଓଭରବ୍ରିଜର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଆଗକୁ ଏହି ମାମଲା କେତେ ଦୂର ଯାଉଛି ତାହା ଉପରେ ସମସ୍ତଙ୍କର ନଜର ।