ଓଡ଼ିଶାରେ ବିଚିତ୍ର ସ୍ଥିତି । କେଉଁଠି ମରୁଡି, କେଉଁଠି ବନ୍ୟା ।

452

କନକ ବ୍ୟୁରୋ : ମାଲକାନଗିରିରେ ୨ଶହ ମିଲିମିଟରରୁ ଅଧିକ ବର୍ଷା । ସେପଟେ ସୁନ୍ଦରଗଡ ଓ ଦେବଗଡରେ ସ୍ୱାଭାବିକ ଠାରୁ ୪୦ ପ୍ରତିଶତ କମ୍ ବର୍ଷା । ଗୋଟିଏ ପଟେ ମରୁଡି ସ୍ଥିତି , ଅନ୍ୟପଟେ ବନ୍ୟା ସ୍ଥିତି । ଅଗଷ୍ଟ ମାସ ସୁଦ୍ଧା ରାଜ୍ୟରେ ଦେଖାଦେଇଛି ଏଭଳି ବିଚିତ୍ର ସ୍ଥିତି । କେଉଁଠି ମରୁଡି ତ ଆଉ କେଉଁଠି ବନ୍ୟା ସ୍ଥିତି ସଙ୍ଗୀନ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ରିପୋର୍ଟ ଅନୁସାରେ, ଅଗଷ୍ଟ ୧୧ ତାରିଖ ସୁଦ୍ଧା ରାଜ୍ୟର ୧୨ଟି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ବେଳେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାଯୋଗୁଁ ହାଲ୍ ବେହାଲ ।

ଲଗାଣ ବର୍ଷାରେ ଦକ୍ଷିଣ ଓଡିଶା ଉବୁଟୁବୁ । ମାଲକାନଗିରିରେ ବନ୍ୟା ସ୍ଥିତି ସଂଗୀନ । ଅନ୍ୟପଟେ ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାରେ ଏବେ ମରୁଡି ସ୍ଥିତି ଉପୁଜିଛି । ସୁନ୍ଦରଗଡ ଓ ଦେବଗଡରେ ସ୍ଥିତି ସାଂଘାତିକ । ସେହିପରି ନୂଆପଡା, ଢେଙ୍କାନାଳ, ଭଦ୍ରକ, ବୌଦ୍ଧ, କେନ୍ଦ୍ରାପଡା, ସମ୍ବଲପୁର, କେଉଁଝର, ବାଲେଶ୍ୱର, ମୟୂରଭଞ୍ଜ ଏବଂ ଅନୁଗୁଳରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ଅଗଷ୍ଟ ୧୧ ତାରିଖ ସୁଦ୍ଧା ଏସବୁ ଜିଲ୍ଲାରେ ୧୯ରୁ ୩୯ ପ୍ରତିଶତ ଯାଏଁ କମ୍ ବର୍ଷା ହୋଇଛି ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ କହୁଛି, ଏଯାଏଁ ମାଲକାନଗିରି, କଳାହାଣ୍ଡି, ରାୟଗଡା, କୋରାପୁଟ, କନ୍ଧମାଳ, ଗଜପତିରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସେପଟେ ଦେବଗଡରେ ୪୨.୭ ପ୍ରତିଶତ ଏବଂ ସୁନ୍ଦରଗଡରେ ୪୦.୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।..

ରାଜ୍ୟରେ ବନ୍ୟା ଓ ମରୁଡି ସ୍ଥିତି ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ, ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଉପକୂଳ ଓ ଉତର ଓଡିଶାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସୋନପୁର, କେନ୍ଦୁଝର, ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ, ବରଗଡ, ନୟାଗଡ, କନ୍ଧମାଳ, ରାୟଗଡା ଓ ପୁରୀ ଜିଲ୍ଲାକୁ ଅରେଂଞ୍ଜ ଆଲର୍ଟ ଜାରି କରାଯାଇଛି ।ରାଜ୍ୟରେ ମରୁଡି ସ୍ଥିତି ଦେଖାଦେଇଥିବା ସୁନ୍ଦରଗଡ ଓ ଦେବଗଡ ସମେତ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ୧୦ଟି ଜିଲ୍ଲାରେ ଏହି ଲଘୁଚାପ ବର୍ଷା , ସ୍ଥିତିରେ ସୁଧାର ଆଣିବା ସମ୍ଭାବନା ରହିଛି ।