ସାରା ରାଜ୍ୟରେ ଟ୍ରାଫିକ ନିୟମ କଡାକଡି । ଜରିମାନା ଗଣିଲେ ନିୟମ ଉଲ୍ଲଂଘନକାରୀ, ଟ୍ରାଫିକ ଚେକିଂ ବେଳେ ଚାଲିଲା ହାଇଭୋଲଟେଜ୍ ଡ୍ରାମା ।

646

କନକ ବ୍ୟୁରୋ : ଡିସେମ୍ବର ୧ ତାରିଖ ଅର୍ଥାତ ଆଜିଠାରୁ ପୁଣି ଆରମ୍ଭ ହୋଇ ଯାଇଛି ଟ୍ରାଫିକ୍ ତନାଘନା । ରାଜ୍ୟ ସରକାର କାଗଜ ପତ୍ର ପାଇଁ ଆଉ ତିନି ମାସ କୋହଳ କରିଥିଲେ ମଧ୍ୟ ହେଲମେଟ, ସିଟବେଲ୍ଟ, ମୋବାଇଲ ବ୍ୟବହାର, ଭୁଲ ଦିଗରେ ଗାଡି ଚଳାଇବା ଓ ମଦୁଆ ଡ୍ରାଇଭରଙ୍କୁ ଗୋଡାଇ ଥିଲା ପୋଲିସ୍ । ସାରା ରାଜ୍ୟରେ ଟ୍ରାଫିକ ଛକ ମାନଙ୍କରେ ଗାଡି ଚାଳକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ଆଉ ଏହି ସମୟରେ ଅନେକ ରୋଚକ ଦୃଶ୍ୟ ବି କଏଦ ହୋଇଥିଲା କନକ ନ୍ୟୁଜ କ୍ୟାମେରାରେ । ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଦେଖିବାକୁ ମିଳିଥିଲା ଭିନ୍ନ ଭିନ୍ନ ଡ୍ରାମା ।

ଏ ହେଉଛି କଟକ ଲିଙ୍କ୍ ରୋଡ଼ରେ ଟ୍ରାଫିକ ଚେକିଂ ବେଳର ଦୃଶ୍ୟ । ହେଲମେଟ୍ ନପିନ୍ଧି ଗାଡି ଚଳାଉଥିବା ଜଣେ ମହିଳାଙ୍କୁ ଅଟକାଇଥିଲା ପୋଲିସ । ତାଙ୍କ ଗାଡ଼ି ଲକ୍ କରିଦେବା ପରେ ଚିହିଁକି ଉଠିଥିଲେ ମହିଳା । ଗାଡି ପଡି ପଛେ ଜରିମାନା ଗଣିବେନି ବୋଲି ରୋକଠୋକ ଣୁଣାଇ ଥିଲେ ।

ସେହିପରି ଟ୍ରାଫିକ ଚେକିଂ ବେଳେ ଫସିଗଲେ ନାବାଳକ । ନିୟମ ଭାଙ୍ଗିଲେ ପୁଅ, ଟଙ୍କା ଗଣିଲେ ବାପା । ଫୋନରେ କଥା ହେବା ପଡ଼ିଲା ମହଙ୍ଗା । ଫୋନରେ ନାବାଳକ ପୁଅ ପାଇଁ ବାପା ଗଣିଲେ ୬ ହଜାର ଟଙ୍କାର ତଣ୍ଡ । ଜରିମାନା ଗଣିବା ପରେ ଛାଡ଼ିଥିଲା ପୋଲିସ ।

ହେଲମେଟ୍ ପିନ୍ଧି ନଥିବାରୁ ପୋଲିସ ଧରିବା ପରେ ଜଣେ ବ୍ୟକ୍ତି ଯୁକ୍ତି କରିଥିଲେ ଚୁଟିରେ ରଙ୍ଗ ମାରିଛି, ହେଲମେଟ୍ ପିନ୍ଧିଲେ ଲାଗିଯିବ । ତେବେ ଚୁଟି ରଙ୍ଗ ପାଇଁ ହଜାରେ ଟଙ୍କାର ତଣ୍ଡ ଲାଗିଥିଲା ତାଙ୍କ ଉପରେ ।

ରାଜଧାନୀ ଭୁବନେଶ୍ୱରରେ ଜୋରଦାର ହୋଇଛି ଟ୍ରାଫିକ୍ ଧରପଗଡ଼ । ବିଭିନ୍ନ ଛକରେ ନିୟମ ଖିଲାପକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ହେଲମେଟ ନପିନ୍ଧିବା, କାରରେ ସିଟ୍ ବେଲ୍ଟ ନବାନ୍ଧିବା, ତିନି ଜଣ ବାଇକରେ ଯିବା, ଭୁଲ ଦିଗରେ ଯିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ମଦ ପିଇ ଗାଡ଼ି ଚଳାଇବା ନଜରରେ ପଡ଼ିଲେ ଜରିମାନା ଆଦାୟ କରିଛି ପୋଲିସ ।
ନିୟମ ଭାଙ୍ଗି ଯେଉଁମାନେ ଧରାପଡୁଥିଲେ, ଭିନ୍ନ ଭିନ୍ନ ବାହାନା ଦେଖାଇ ଖସିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା । ସ୍ମାର୍ଟ ସିଟିର ସ୍ମାର୍ଟ ଯୁବକ । ଯୁକ୍ତି ଥିଲା, ହେଲମେଟ୍ ନପିନ୍ଧି ଥରେ ହଜାରେ ଟଙ୍କା ଫାଇନ ଗଣିଛି, ତେଣୁ ୨୪ ଘଂଟା ପାଇଁ କାହିଁକି ପିନ୍ଧିବି ହେଲମେଟ୍ ।

ଅନ୍ୟପଟେ ବ୍ରହ୍ମପୁରରେ ଯେମିତି ଟ୍ରାଫିକ ତନାଘନା ହୋଇଥିଲା, ସମ୍ବଲପୁରରୁ ମଧ୍ୟ ଆସିଥିଲା ସେହିଭଳି ଚିତ୍ର । ଜୟପୁରରେ ମଧ୍ୟ ହୋଇଥିଲା ଜୋରଦାର ଧରପଗଡ଼ । ସୁନ୍ଦରଗଡ଼ରେ ତିନି ଜଣ ମଦୁଆ ଚାଳକ ପଡ଼ିଥିଲେ ପୋଲିସ ହାବୁଡ଼ରେ । ନିର୍ଦ୍ଧାରିତ ଜରିମାନା ଦେବା ପରେ ଛାଡିଥିଲା ପୋଲିସ ।

ବାଲେଶ୍ୱରରେ ଜଣେ ମହିଳା ହେଲମେଟ ନ ପିନ୍ଧି ଧରାପଡ଼ିବା ପରେ କ୍ଷୁବ୍ଧ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଡିସେମ୍ବର ୧ରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । କେବଳ ଗାଡ଼ି କାଗଜପତ୍ର ଓ ଲାଇସେନ୍ସ ପାଇଁ ଆଉ ତିନି ମାସ କୋହଳ କରିଛନ୍ତି ସରକାର ।