କ୍ରିକେଟର ବେଶରେ ହଷ୍ଟେଲ ରୁମକୁ ରକେଡ ମାଡ ! କଲେଜ କ୍ୟାମ୍ପସର ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

ମୁଣ୍ଡରେ ହେଲମେଟ, ହାତରେ ଗ୍ଲୋବ୍ସ ଏବଂ ଗୋଡରେ ପ୍ୟାଡ । ପୂରା କ୍ରିକେଟର ଅନ୍ଦାଜରେ ଆଗକୁ ମାଡି ଚାଲିଥିଲେ ଯୁବକ । କିନ୍ତୁ ହାତରେ ବ୍ୟାଟ ବଦଳରେ ଥିଲା ରକେଟ ବକ୍ସ ବାଣ ।

548

କନକ ବ୍ୟୁରୋ : ସରିଯାଇଛି ଦୀପାବଳି କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଜବ ଦୀପାବଳି ସେଲିବ୍ରେସନ । ଘର ପରିବାର ସହ ନୁହେଁ ବରଂ କିଛି ଉଦଭ୍ରାନ୍ତ ଯୁବକ ଯେଉଁଭଳି ବାଣ ଫୁଟାଉଛନ୍ତି ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରତୀକ ପ୍ରସନ୍ନଜିତଙ୍କ ଟ୍ୱିଟର ଆକାଉଣ୍ଟରେ ଛଡା ଯାଇଥିବା ଏହି ଭିଡିଓ ଦେଖିଲେ ଆପଣ ତାଜୁବ ହୋଇଯିବେ । ଏହି ଭିଡିଓଟି ଓଡିଶାର କେଉଁ ଏକ ସ୍ଥାନରେ ସୁଟିଂ କରାଯାଇଛି ବୋଲି ଜଣାପଡିଛି ।

ମୁଣ୍ଡରେ ହେଲମେଟ, ହାତରେ ଗ୍ଲୋବ୍ସ ଏବଂ ଗୋଡରେ ପ୍ୟାଡ । ପୂରା କ୍ରିକେଟର ଅନ୍ଦାଜରେ ଆଗକୁ ମାଡି ଚାଲିଥିଲେ ଯୁବକ । କିନ୍ତୁ ହାତରେ ବ୍ୟାଟ ବଦଳରେ ଥିଲା ରକେଟ ବକ୍ସ ବାଣ । ରକେଟ ବକ୍ସରେ ନିଆଁ ସଂଯୋଗ ହେବା ପରେ ଆଗକୁ ଆଗ ମାଡି ଚାଲିଥିଲେ ଯୁବକ । ଆଉ ଟାର୍ଗେଟରେ ଥିଲା ହଷ୍ଟେଲ ।


କ୍ଷେପଣାସ୍ତ୍ର ଆକ୍ରମଣ ଭଳି ହଷ୍ଟେଲ ମଧ୍ୟକୁ ରକେଟ ବକ୍ସ ବାଣ ମାଧ୍ୟମରେ ହଷ୍ଟେଲ ମଧ୍ୟକୁ ଆକ୍ରମଣ କରିଥିଲେ ଯୁବକ । ବକ୍ସରୁ ଗୋଟିଏ ପରେ ଗୋଟିଏ ରକେଟ ବାଣ ହଷ୍ଟେଲ ମଧ୍ୟରେ ମାଡ ହେଉଥିଲେ । ଯାହାର ମଜା ନେଉଥିଲେ ସାଙ୍ଗରେ ଥିବା ଯୁବକ । ଏପରିକି ହଷ୍ଟେଲ ମଧ୍ୟକୁ ଅଧିକ ରକେଟ ବାଣ ଛାଡିବାକୁ ହେଲମେଟ ପିନ୍ଧିଥିବା ଯୁବକଙ୍କୁ କହୁଥିଲେ । ବାଣ ସହ ଏମିତି ସାଂଘାତିକ ଖେଳକୁ ପାଖରେ ଥିବା ଅନ୍ୟ ଯୁବକ ମାନେ ବିରୋଧ ନ କରି ମଜା ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

କେଉଁ ସ୍ଥାନରେ ଏଭଳି ଘଟଣା ଘଟିଛି ତାହା ଭିଡିଓରୁ ଜଣା ପଡିନଥିଲେ ମଧ୍ୟ ଏଥିରେ ଯୁବକ ଓଡିଆରେ କଥା ହେଉଛନ୍ତି । ଏହାଛଡା ଯୁବକ ଜଣକ ଯେଉଁ ହଷ୍ଟେଲ ମାଡ କରୁଥିଲେ ତାହାର ନାମ ଭୃଗୁ ବୋଲି ଭିଡିଓରେ ଦେଖିବାକୁ ମିଳିଛି । ପ୍ରକୃତରେ ଏହା କେଉଁ ଶିକ୍ଷାନୁଷ୍ଠାନର ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହି ବିପଦପୂର୍ଣ୍ଣ ବାଣ ଫୁଟାରେ କାହାର କ୍ଷତି ହୋଇଛି କି ନାହିଁ ତାହା ଜଣା ପଡିନାହିଁ ।

ତେବେ ଟ୍ୱିଟରରେ କିଛି ୟୁଜର୍ସ ମାନେ ଏହାକୁ ଭିଏସଏସ ମେଡିକାଲ କଲେଜ ବୁର୍ଲାର ବୋଲି କହିଛନ୍ତି । ଏପରିକି ଦେବ ନାରାୟଣ ନାମକ ଜଣେ ୟୁଜର୍ସ ଲେଖିଛନ୍ତି ପ୍ରତିବର୍ଷ ଦୀପାବଳିରେ ହଷ୍ଟେଲ ଗୁଡିକ ମଧ୍ୟରେ ଏହିଭଳି ଆତସବାଜି ଦେଖିବାକୁ ମିଳେ । କିନ୍ତୁ ଏବର୍ଷ ଏହା ପୂର୍ବବର୍ଷ ଗୁଡିକ ବଳିଗଲା । ମୁଁ ଏହାକୁ ବହୁତ ଉପଭୋଗ କରିଛି ।


ଆଭାସ କୁମାର ଭୋଇ ନାମକ ଜଣେ ୟୁଜର୍ସ କହିଛନ୍ତି, ଏହା ଭିମସାର ବୁର୍ଲାର ଘଟଣା । ଏ ସର୍ମ୍ପକରେ ତାଙ୍କର ଜଣେ ସାଙ୍ଗ କନଫର୍ମ କରିଛନ୍ତି ।


ନବକିଷ୍ଣ ନାମକ ଟ୍ୱିଟର ୟୁଜର ଲେଖିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ପାଗଳାମୀ । ଏଭଳି ଢଙ୍ଗରେ ବାଣ ଫୁଟାଇବା ଅପରାଧ । ତେଣୁ ଏଥିରେ ସମ୍ପୃକ୍ତ ଥିବା ଯୁବକ ମାନଙ୍କୁ ଦଣ୍ଡ ଦିଆଯିବା ଉଚିତ ।


ଅଭୟ କୁମାର ନାୟକ ଟ୍ୱିଟ୍ କରି କହିଛନ୍ତି, ଏଭଳି ଢଙ୍ଗରେ ବାଣ ଫୁଟାଇବା ବିପଦପୂର୍ଣ୍ଣ । ତେଣୁ ଏଭଳି କାମକୁ ଉତ୍ସାହିତ କରିବା କିମ୍ବା ଏହାକୁ ଗ୍ରହଣ କରିବା ଆଦୌ ଉଚିତ ନୁହେଁ ।