ତେଲିଆ ମୁଣ୍ଡରେ ତେଲ, ଗରିବ ମୁଣ୍ଡ ନୁଖୁରା! ଭାରତରେ ବୃଦ୍ଧି ପାଉଛି ଧନୀ-ଗରିବର ତାରତ୍ୟମ, ଦେଶର ୧୦୦ ଜଣଙ୍କ ପାଖରେ ରହିଛି ଜିଡିପିର ୧୫ ପ୍ରତିଶତ

70

କନକ ବ୍ୟୁରୋ : ଧନୀ ହେଉଛି ଅଧିକ ଧନୀ । ଗରିବ ହୋଇ ଚାଲିଛି ଗରିବ । ଧନୀ ଓ ଗରିବ ମଧ୍ୟରେ ତାରତ୍ୟମ ବଢୁଥିବା ନେଇ ଅକ୍ସଫାମ ଇଣ୍ଡିଆର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ୬ ହଜାର କୋଟିରୁ ଅଧିକ ଟଙ୍କା ଥିବା ଧନୀଙ୍କ ନିକଟରେ ମୋଟ ଘରୋଇ ଉତ୍ପାଦର ୧୫ ପ୍ରତିଶତ ସଂପତି ରହିଛି । ଏହି ହିସାବ ଅନୁସାରେ ପ୍ରାୟ ୧୦୦ ଜଣ ଧନୀ ନିକଟରେ ରହିଛି ଜିଡିପିର ୧୫ ପ୍ରତିଶତ ସଂପତି । ଯାହା ୫ ବର୍ଷ ତଳେ ୧୦ ପ୍ରତିଶତ ରହିଥିଲା ।

ବିଶ୍ୱର ଅସମତୁଲ ରାଷ୍ଟ୍ର ତାଲିକାରେ ସ୍ଥାନ ପାଇଛି ଭାରତ । ସରକାରଙ୍କ ଏକପାଖିଆ ଯୋଜନା ଯୋଗୁଁ ଧନୀ ଓ ଗରିବଙ୍କ ବ୍ୟବଧାନ ବୃଦ୍ଧି ପାଉଥିବା କୁହାଯାଇଛି । ରୋଜଗାର, ଖର୍ଚ୍ଚ କରିବା କ୍ଷମତା ଏବଂ ସଂପତି ଆଧାରରେ ଭାରତ ଅସମାନତା ରିପୋର୍ଟ-୨୦୧୮ ପ୍ରକାଶ କରିଛି ଅକ୍ସଫାମ୍ ଇଣ୍ଡିଆ । ପୁଂଜିବାଦକୁ ସୁହାଉଥିବା ଭଳି ଯୋଜନା ଓ ଉତରାଧିକାର ସୂତ୍ରରେ ପ୍ରାପ୍ତ ସଂପତି ଯୋଗୁଁ ଧନୀ ବର୍ଗ ଅଧିକ ଧନୀ ହୋଇ ଚାଲିଛନ୍ତି । ଯୋଜନାରେ ଶ୍ରମ ତୁଳନାରେ ପୁଂଜିକୁ ଅଧିକ ଗୁରୁତ୍ୱ ଦିଆଯିବା ସହ କୁଶଳୀ ଶ୍ରମକୁ ଅଧିକ ଗୁରୁତ୍ୱ ମିଳୁଛି ।

ଜାତି, ଧର୍ମ, ଅଂଚଳ ଓ ଲିଙ୍ଗଗତ ଆଧାରରେ ସମାଜରେ ଅସମାନତା ଥିବା ବେଳେ ଧନୀ ଦରିଦ୍ର୍ୟ ମଧ୍ୟରେ ତାରତମ୍ୟ ବୃଦ୍ଧି ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ୧୯୯୧ ଉଦାରବାଦୀ ଅର୍ଥନୀତି ପାଇଁ ଗ୍ରହଣ କରାଯାଇଥିବା ଆର୍ôଥକ ସଂସ୍କାର ପରେ ଅର୍ଥନୈତିକ ତାରତମ୍ୟ ବୃଦ୍ଧିପାଇଛି ।