ସିଆଇଡି ଓ ସିବିଆଇ ମଧ୍ୟରେ କଣ ରହିଛି ପାର୍ଥକ୍ୟ: ପଢନ୍ତୁ ଏହି ରିପୋର୍ଟ

130

କନକ ବ୍ୟୁରୋ : ଏବେ ଗଣମାଧ୍ୟମରେ ଅନେକ ସମୟରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଘରେ ସିବିଆଇ ରେଡ କରୁଥିବାରର ଖବର ସାମ୍ନାକୁ ଆସୁଛି । ମୁଖ୍ୟତଃ ସିବିଆଇ ଓ ସିଆଇଡି ଦୁଇଟି ଭିନ୍ନ ଭିନ୍ନ ଯାଞ୍ଚ ଏଜେନ୍ସି । ମାତ୍ର ଅନେକ ସମୟରେ ସାଧାରଣ ଲୋକ ସିବିଆଇ ଓ ସିଆଇଡିକୁ ନେଇ ଦ୍ୱନ୍ଦରେ ପଡ଼ିଥାନ୍ତି । ତେବେ ଆସନ୍ତୁ ଜାଣିବା ସିବିଆଇ ଓ ସିଆଇଡି ମଧ୍ୟରେ ଥିବା ପାର୍ଥକ୍ୟ ।

ସିଆଇଡି: ସିଆଇଡି ହେଉଛି ଭିନ୍ନ ଭିନ୍ନ ରାଜ୍ୟର ପୋଲିସ ବିଭାଗର ଅପରାଧିକ ତଦନ୍ତକାରୀ ଦଳ । ପ୍ରତି ରାଜ୍ୟର ପୋଲିସ ବିଭାଗରେ ଏହି ଗୁଇନ୍ଦା ସଂସ୍ଥା ରହିଥାଏ । ଏହି ବିଭାଗ ରାଜ୍ୟ ସରକାରଙ୍କ ଅଧୀନରେ ରହିଥାଏ ।ବିଶେଷକରି ରାଜ୍ୟରେ ହେଉଥିବା ହତ୍ୟା, ଦଙ୍ଗା, ଅପହରଣ ଓ ବଡ଼ ବଡ଼ ଚୋରି ମାମଲାର ତଦନ୍ତ କରିବାକୁ ସିଆଇଡି ଟିମକୁ ଖୋଜା ପଡ଼ିଥାଏ ।  ସିଆଇଡି ମଧ୍ୟ ଏଭଳି ମାମଲାର ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଖୋଜି ବାହାର କରିଥାଏ । ୧୯୦୨ ମସିହାରେ ପୋଲିସ ବିଭାଗର ସୁପାରିଶ କ୍ରମେ ବ୍ରିଟିଶ ସରକାର ସିଆଇଡିର ସ୍ଥାପନା କରିଥିଲେ ।

ଏହି ଗୁଇନ୍ଦା ସଂସ୍ଥାରେ ଯୋଗ ଦେଉଥିବା ପୋଲିସ ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ କରାଯାଉଥିବା ପୋଲିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଅପରାଧ ବିଜ୍ଞାନରେ ପାସ ହେବାକୁ ପଡିଥାଏ । ଏହି ବିଭାଗରେ କାମ କରୁଥିବା ପୋଲିସ ଅଫିସରଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥାଏ । ରାଜ୍ୟରେ ହେଉଥିବା ଦଙ୍ଗା, ହତ୍ୟା, ଚୋରି କିମ୍ବା ରାଜ୍ୟ ସହ ଜଡ଼ିତ ଥିବା ବିଭିନ୍ନ ଅପରାଧିକ ମାମଲାର ତଦନ୍ତ କରିଥାଏ ସିଆଇଡି । ରାଜ୍ୟ ସରକାର କିମ୍ବା ସେହି ରାଜ୍ୟର ଉଚ୍ଚତମ ନ୍ୟାୟଳୟର ନିର୍ଦ୍ଦେଶ ପରେ  ସିଆଇଡି ତଦନ୍ତ ପ୍ରକିୟା ଆରମ୍ଭ କରିଥାଏ ।

ସିବିଆଇ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା( ସିବିଆଇ) ହେଉଛି କେନ୍ଦ୍ର ସରକାରଙ୍କ ଏକ ଯାଞ୍ଚ ଏଜେନ୍ସି । ଦେଶରେ ହେଉଥିବା ବଡ଼ ବଡ଼ ଠକେଇ, ଦୁର୍ନୀତି ଓ ହତ୍ୟା ଭଳି ସଙ୍ଗୀନ ଅପରାଧିକ ମାମଲାର ତଦନ୍ତ ଦ୍ୱାୟିତ୍ୱ ସିବିଆଇ ଉପରେ ନ୍ୟସ୍ତ ଥାଏ । ଏପରିକି ଦେଶ ବାହାରେ ହେଉଥିବା ବିଭିନ୍ନ ଅପରାଧିକ ମାମଲା ଯାହାର ସିଧାସଳଖ ଲିଙ୍କ ଦେଶର ସ୍ୱାର୍ଥ ସହ ଜଡିତ ଥାଏ ସେହିଭଳି ମାମଲାର ମଧ୍ୟ ତଦନ୍ତ କରିଥାଏ ସିବିଆଇ । ୧୯୪୧ ମସିହାରେ ସ୍ୱତନ୍ତ୍ର ପୋଲିସ ବିଭାଗ ଭାବେ ଏହାର ଗଠନ କରାଯାଇଥିଲା । ପରେ  ୧୯୬୩ରେ ଏହି ସଂସ୍ଥାକୁ ସିବିଆଇ ନାମରେ ନାମିତ କରାଗଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ।

ସିବିଆଇରେ ନିଯୁକ୍ତି ପାଇବାକୁ ହେଲେ ଏସଏସସି ବୋର୍ଡ ଦ୍ୱାରା ଆଯୋଜିତ ସିବିଆଇର ଏକ ନିର୍ଦିଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ  ହେବାକୁ ପଡିଥାଏ । ଦେଶର ସ୍ୱାର୍ଥ ସହ ଜଡିତ ଥିବା ବିଭିନ୍ନ ବଡ଼ ବଡ଼ ଘୋଟାଲାର ତଦନ୍ତ କରିଥାଏ ସିବିଆଇ । ଏପରିକି ବିଭିନ୍ନ ରାଜ୍ୟରେ ହେଉଥିବା ଅପରାଧିକ ମାମଲାକୁ ସମାଧାନ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହମତି ନେଇ ସିବିଆଇ ଯାଞ୍ଚର ଆଦେଶ ଦେଇଥାନ୍ତି । ତେବେ କିଛି ସଙ୍ଗୀନ ମାମଲାରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ଓ ହାଇକୋର୍ଟ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମଧ୍ୟ ସିବିଆଇ ଯାଞ୍ଚପାଇଁ ମଧ୍ୟ ଅନୁମତି ଦେଇପାରିବେ । ଏହି ତଦନ୍ତକାରୀ ସଂସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରିଥାଏ ।