ଜଙ୍ଗଲର ବନ୍ଧୁ ସାଜିଛନ୍ତି ଦିବ୍ୟାଙ୍ଗ ଗୋସ୍ନର ! ୧୫୦ ଏକର ଘଂଚ ଜଙ୍ଗଲକୁ ସେ ଏକା ଏକା ଦେଉଛନ୍ତି ସୁରକ୍ଷା

53

କୁହାଯାଏ ମନରେ ଦୃଢ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇଯାଏ । ଆଉ ଅନ୍ୟମାନଙ୍କୁ ଯାହା କଷ୍ଟକର ହୋଇଥାଏ । ତାହା ଜଣେ ଉଦ୍ୟମୀ ଓ ସଂଘର୍ଷରତ ବ୍ୟକ୍ତି ପାଇଁ ଖୁବ୍ ସରଳ ମନେହୁଏ । ଏମିତି ଏକ ଖବର ପ୍ରକାଶିତ ହୋଇଛି ନ୍ୟୁଜ କୋଡରେ । ଜଣେ ଦିବ୍ୟାଙ୍ଗ ହୋଇବି ସେ ଯାହା କରିଛନ୍ତି , ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପାଖାପାଖି ୧୫୦ ଏକର ଘଂଚ ଜଙ୍ଗଲକୁ ଏକା ଏକା ସୁରକ୍ଷା କରୁଛନ୍ତି । ଏବଂ କେବଳ ଏକ ପାରମ୍ପରିକ ଅସ୍ତ୍ର ସାହାଯ୍ୟରେ ସେ ନିଜର ଏହି କାର୍ଯ୍ୟ କରୁଛନ୍ତି । ନା ମନରେ ଅଛି କୌଣସି ଭୟ ଓ ଅବଶୋସ ।

ସୂଚନା ଅନୁସାରେ ,ଖୁଂଟି ଜିଲ୍ଲାର ମୁରହୁ ପ୍ରଖଣ୍ଡ ଅନ୍ତର୍ଗତ ବୁରୁମା ଗାଁର ଏହି ଯୁବକ ଗୋସ୍ନର । ପିଲାଦିନରୁ ଗୋଡ ତାଙ୍କ ହୋଇପଡିଥିିଲା ଶକ୍ତିହୀନ । ଦିବ୍ୟାଙ୍କ ହୋଇ ବି ସେ ନିଜକୁ ହୀନ ମଣିନଥିଲେ । କିଛି ଭିନ୍ନ କାମ କରିଦେଖେଇବାକୁ ଚେଷ୍ଟା କରିଥିଲେ । ଏକ ଧାରୁଆ ପାରମ୍ପରିକ ଅସ୍ତ୍ର ଧରି ସେ ଏକା ଏକା ଏକ ଜଙ୍ଗଲର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି । ସକାଳ ୬ଟାରୁ ସନ୍ଧ୍ୟା ଯାଏ ଜଙ୍ଗଲରେ ବିତାଇଥାନ୍ତି । ଏହାକୁ ସେ ନିଜର ଘର ମାନିନେଇଛନ୍ତି । ତାଙ୍କ ଯୋଗୁଁ ଏହି ଜଙ୍ଗଲର ଗୋଟିଏ ବି ଗଛକୁ କେହି କାଟିବାକୁ ସାହସ କରିନାହାଁନ୍ତି । ଗୋସ୍ନରଙ୍କ ପରିଶ୍ରମ ସ୍ୱରୂପ ଏହି ଘନ ଜଙ୍ଗଲରେ ଶିଆଳ , ଘୁଷୁରୀ ଓ ମାଙ୍କଡ ଆଦି ସହ ଅନେକ ଜଙ୍ଗଲି ଜନ୍ତୁ ଶାନ୍ତିରେ ବୁଲାବୁଲି କରନ୍ତି । ତାଙ୍କ ଗାଁ ଲୋକେ ଏଥିପାଇଁ ଗୋସ୍ନରକୁ ଦିଅନ୍ତି କିଛି ସାହାଯ୍ୟ । ସେ ଚଳିବା ପାଇଁ ଗାଁର ୧୧୫ଟି ପରିବାର ମିଶି ତାଙ୍କୁ କିଛି ଚାଉଳ ଓ ଅର୍ଥ ଦିଅନ୍ତି ।

ପିଲାଦିନରୁ ଦିବ୍ୟାଙ୍ଗର ଶିକାର ହୋଇଥିବା ଗୋସ୍ନର କେବେ ବି ଏହାକୁ ନେଇ ଭାଂଗିପଡିନାହାନ୍ତି । ସେ ଯେତେବେଳେ ୯ମ ଶ୍ରେଣୀରେ ପଢୁଥିଲେ , ସେତେବେଳେ ତାଙ୍କ ପିତା ସଲନ ଓଡେୟା ଦ୍ୱିତୀୟ ବିବାହ କରି ଘର ଛାଡିଚାଲିଯାଇଥିଲେ । ଦୁଇ ଭଉଣୀଙ୍କ ଦାୟିତ୍ୱ ଗୋସ୍ନରଙ୍କ ଉପରେ ପଡିଲା । ଇଂଟର ଯାଏ ପଢିଲେ । ଗରିବାବସ୍ଥା କାରଣରୁ ଆଉ ଆଗକୁ ପଢିପାରିଲେ ନାହିଁ । ନିଜେ ନପଢି ଭଉଣୀକୁ ପାଠ ପଢାଇଲେ । ତାଙ୍କର ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଖୁଂଟରେ ଏକ ହେଷ୍ଟଲରେ ରହି ଇଂଟରରେ ପଢୁଛନ୍ତି ।

ପିଲାଦିନରୁ ଗୋସ୍ନରଙ୍କର ତୀରନ୍ଦାଜିରେ ସଉକ ଥିଲା । ନିଜର ଗାଁରେ ଧନୁତୀରର ଅଭ୍ୟାସ କରିଥିଲେ । ସ୍ଥାନୀୟ ପୂର୍ବ ତୀରନ୍ଦାଜ ଅସରିତା କେରକେଟ୍ଟାଙ୍କର ସାହାଯ୍ୟରେ ୨୦୧୩ରେ ମହାରାଷ୍ଟ୍ରର ସତାରାରେ ଆୟୋଜିତ ରାଷ୍ଟ୍ରୀୟ ତୀରନ୍ଦାଜୀ ପ୍ରତିଯୋଗୀତାରରେ ଚମ୍ପିୟାନ୍ ହୋଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତୀରନ୍ଦାଜୀ ଦ୍ୱାରା ସେ ନିଜର ଭବିଷ୍ୟତକୁ ଉଜ୍ୱଳ କରିବା ଓ ନିଜ ମା’ଙ୍କୁ ଏକ ଖୁସି ଜୀବନ ଦେବାକୁ ବାହାରି ଥିବା ଗୋସ୍ନରଙ୍କ ସ୍ୱପ୍ନ ଭାଂଗିଯାଇଥିଲା ଗରିବ ଅବସ୍ଥା ଯୋଗୁଁ । ଆଉ ଆଗକୁ ବଢିପାରିନଥିଲେ । ନିଜର ସେହି ପ୍ରତିଭା ଲୁକାୟିତ ଭାବେ ରହିଗଲା । ଏବେ ସେ ଜଙ୍ଗଲ ଜଗୁଛନ୍ତି । ତାଙ୍କ ମା’ ଚଣା ବିକ୍ରି ପରିବାର ଚଳାଉଛନ୍ତି ।