ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ସେବା । ଜଗତସିଂହପୁରରେ କିଡନୀ ରୋଗୀଙ୍କର ହେବ ଚିକିତ୍ସା , ଖୋଲିଲା ଡାଏଲିସିସ୍ କେନ୍ଦ୍ର

138

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିସି ମୋଡରେ କାର୍ଯ୍ୟକ୍ଷମ ହୋଇଛି ଏକ ଡାଏଲିସିସ୍ କେନ୍ଦ୍ର । ତେବେ ଏହାକୁ ମିଶାଇ ଚଳିତ ୨୦୧୮- ୧୯ ଆର୍ଥିକ ବର୍ଷରେ ମୋଟ୍ ୧୯ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହେଲାଣି ଏବଂ ଖୁବ୍ ଶୀଘ୍ର ଆଉ ୭ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ପୂର୍ବରୁ ୧୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି  ବ୍ୟବସ୍ଥା ଆରମ୍ଭ କରାଯାଇଛି । ନୂତନ କରି ଆରମ୍ଭ କରାଯାଇଥିବା ଡାଏଲିସିସ କେନ୍ଦ୍ର ମଧ୍ୟରେ କ୍ୟାପିଟାଲ ହସପିଟାଲ ସମେତ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ, ପୁରୀ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, କଳାହାଣ୍ଡି , ନୂଆପଡା, କେନ୍ଦୁଝର, କୋରାପୁଟ, ରାୟଗଡା, ସୁନ୍ଦରଗଡ ଏବଂ ଝାରୟୁଗୁଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଭୁକ୍ତ । ଏହି କେନ୍ଦ୍ରଗୁଡିକ ପିପିପି ମୋଟରେ କାର୍ଯ୍ୟ  କରୁଛି ଏବଂ ବିନା ମୂଲ୍ୟରେ ରୋଗୀ ଚିହ୍ନଟ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ସହ ମାଗଣା ଡାଏଲିସିସ୍ ସୁବିଧା ଉପଲବ୍ଧ କରାଯାଇଛି ।

ତେବେ ଉପରୋକ୍ତ ସମସ୍ତ କେନ୍ଦ୍ରରେ ଚଳିତ ବର୍ଷ ଏପର୍ଯ୍ୟନ୍ତ କିଡନୀ ଜନିତ ରୋଗୀଙ୍କର ମୋଟ ୨୮୬୬୫ ଥର ମାଗଣାରେ ଡାଏଲିସିସ୍ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।