କିଡନୀ ରୋଗୀଙ୍କୁ ସହାୟକ ହେବ ‘ସହାୟ’ ଯୋଜନା : ଡାଏଲିସିସ୍ ପାଇଁ ଜିଲ୍ଲା ବାହାରକୁ ଯିବେନି କିଡନୀ ରୋଗୀ

119

କନକ ବ୍ୟୁରୋ : ଆଉ କିଡନୀ ରୋଗର ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ଯିବାକୁ ପଡିବ ନାହିଁ । ମାଲକାନଗିରି ଜିଲ୍ଲାରେ ହିଁ ଚିକିତ୍ସା ପାଇବେ କିଡନୀ ରୋଗୀ । କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଡାଏଲିସିସ୍ ସେଂଟର । ପିପିପି ମୋଡରେ ପ୍ରଥମ ପର୍ଯ୍ୟାୟରେ ୩ ଶଯ୍ୟା ବିଶିଷ୍ଟ ଡାଏଲିସିସ୍ କେନ୍ଦ୍ର ଆରମ୍ଭ ହୋଇଥିବା ବେଳେ ପ୍ରତି ମାସରେ ୨୦୦ରୁ ଅଧିକ ରୋଗୀ ଏହାଦ୍ୱାରା ଉପକୃତ ହେବେ ।

ଡାଏଲିସିସ ଅଭାବରୁ ପ୍ରାଣ ହରାଇବେନି ମାଲକାନଗିରି ଜିଲ୍ଲାର କିଡନୀ ରୋଗୀ । କାରଣ ବିନା ମୁଲ୍ୟରେ ସରକାରୀ ଡାକ୍ତରଖାନାରେ ଡାଏଲିସିସ୍ ସେବା ପାଇବେ ମାଲକାନଗିରି ଜିଲ୍ଲାବାସୀ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସହାୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ କୋଠାରେ ଏକ ଡାଏଲିସିସ୍ ମେସିନ ସ୍ଥାପନ କରାଯାଇଛି । ପ୍ରତି ଦିନ ୬ଜଣ ରୋଗୀ  ନିଶୁଲ୍କ ଡାଏଲ୍ସିସ ସେବା ପାଇବା ଲାଗି ପ୍ରଥମ ପର୍ଯ୍ୟାୟରେ ବ୍ୟବସ୍ଥା କରାଯାଇଛି । ଏହି ପ୍ରକ୍ରିୟାରେ ମାସକୁ ପ୍ରାୟ ୧୮୦ରୁ ୨୦୦ରୋଗୀ ଡାଏଲିସିସ୍ କେନ୍ଦ୍ର ଦ୍ୱାରା ଉପକୃତ ହେବେ । ପୂର୍ବରୁ ଡାଏଲସିସ୍ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ନୟାନ୍ତ ହେଉଥିଲେ ।

ସରକାରୀ ରେକର୍ଡ ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ୫୦ରୁ ଅଧିକ ରୋଗୀ କିଡନୀ ରୋଗରେ ପ୍ରାଣ ହରାଉଛନ୍ତି । ଜିଲ୍ଲା ବାହାରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ୨୦୦ରୁ ଅଧିକ । ତେଣୁ ସ୍ୱାସ୍ଥ୍ୟ ବିଭାଗ ପିପିପି ମୋଡରେ ରୋଗୀଙ୍କୁ ମାଗଣ ଡାଏଲିସିସ୍ ସେବା ଯୋଗାଇ ଦେଉଛନ୍ତି । ଏଥିପାଇଁ କେଆର ନାମକ ସଂସ୍ଥାକୁ ନିୟୋଜିତ କରାଯାଇଛି । ଡାଏଲିସିସ୍ ପାଇଁ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହ ୬ ଜଣଙ୍କୁ ନିୟୋଜିତ କରାଯାଇଛି ।

ମାଲକାନଗିରି ଜିଲ୍ଲାରେ ଅଧିକାଂଶ ନଳକୂଅରୁ ବାହାରୁ ଥିବା ଲୌହ ଏବଂ ବିଶାକ୍ତ ରସାୟନିକ ଯୁକ୍ତ ପାଣି ଯୋଗୁଁ କିଡନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଡାଏଲିସିସ୍ କେନ୍ଦ୍ର ସମେତ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ଦାବୀ ହୋଇଛି ।