ଟାଇପ୍-ଟୁ ଡାଇବେଟିସ୍ ରୋଗୀଙ୍କ ହିମଗ୍ଲୋବିନ୍ ମାତ୍ରା କୋହଳ କରିବା ନେଇ ଆମେରିକା ଡାକ୍ତରଙ୍କ ମତକୁ ଅସ୍ୱୀକାର : ଭାରତୀୟ ଡାକ୍ତର କହିଲେ ନଷ୍ଟ ହୋଇପାରେ ଆଖି, ନର୍ଭ ଓ କିଡନୀ

93

କନକ ବ୍ୟୁରୋ : ଡାଇବେଟିସ ବା ମଧୁମେହ ରୋଗର ଚିକିତ୍ସାକୁ ନେଇ ବଡ ବିବାଦ । ଡାକ୍ତରଙ୍କ ଭିତରେ ଦୁଇଟି ମତ ପରେ ଏହି ବିବାଦ ସାମ୍ନାକୁ ଆସିଛି । ଟାଇପ-ଟୁ ଡାଇବେଟିସ ରୋଗୀଙ୍କ ରକ୍ତରେ ହିମୋଗ୍ଲୋବିନର ପରିମାଣ ୬ ଦଶମିକ ୫ରୁ ୭ ପ୍ରତିଶତ ମଧ୍ୟରେ ରଖିବାକୁ ଡାକ୍ତରମାନେ ଚେଷ୍ଟା କରିଥାନ୍ତି । ହେଲେ ଆମେରିକାର ଏକ ଡାକ୍ତର ଗୋଷ୍ଠୀ ଏହାକୁ କୋହଳ କରି ୭ରୁ ୮ ପ୍ରତିଶତ ମଧ୍ୟରେ ରଖିବା ପାଇଁ ମତ ଦେଇଛନ୍ତି ।

ଏଚବିଏ-ୱାନ-ସି ଯାହା ଗତ ତିନିମାସର ରକ୍ତ ଶର୍କରା ବାବଦରେ ସୂଚନା ଦେଇଥାଏ, ଏହାକୁ ୭ରୁ ୮ ପ୍ରତିଶତ ମଧ୍ୟରେ ରଖିବା ଲାଗି ଆମେରିକାନ କଲେଜ ଅଫ ଫିଜିସିିଆନର ସୁପାରିଶକୁ ବିରୋଧ କରିଛନ୍ତି ଭାରତୀୟ ଡାକ୍ତର । କାରଣ ଭାରତରେ ଡାଇବେଟିସ ରୋଗୀଙ୍କଠାରେ ଭିନ୍ନ ଲକ୍ଷଣ ପରିଲକ୍ଷିତ ହୋଇଥାଏ । ତେଣୁ ଭାରତରେ ଡାଇବେଟିସ ରୋଗୀଙ୍କ ହିମୋଗ୍ଲୋବିନ ମାତ୍ରାରେ ଏଭଳି କୋହଳ କଲେ ଆଖି, ନର୍ଭ ଓ କିଡନୀ ଉପରେ ଖରାପ ପ୍ରଭାବ ପକାଇପାରେ ।

ସେଥିଲାଗି ଭାରତରେ ରୋଗୀଙ୍କ ଚିକିତ୍ସା ପାଇଁ ଇଣ୍ଡିଆନ ମେଡିକାଲ ଆସୋସିଏସନ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ଭଳି ସଂସ୍ଥା ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । ଏବଂ ଏହି ଆଧାରରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ଡାକ୍ତରମାନେ ।