ଜନ୍ମଦିନରେ ୭୨ ଲକ୍ଷରେ ନିଲାମ ହେଲା ଧୋନୀଙ୍କ ବିଶ୍ୱକପ୍ ବ୍ୟାଟ୍ ! ଏହି ଅର୍ଥରେ ଗରିବ ପିଲା ପାଇବେ ସାହାଯ୍ୟ, ସମସ୍ତ ଟଙ୍କା ପତ୍ନୀ ସାକ୍ଷୀଙ୍କ ଫାଉଣ୍ଡେସନକୁ ଦାନ କଲେ ଧୋନୀ ।

27

ଯେଉଁ ଦିନ ଭାରତ ଶ୍ରୀଲଙ୍କାକୁ ହରାଇ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ କ୍ରିକେଟ୍ ଜିତିଥିଲା, ତାହା ଭାରତୀୟଙ୍କ ଲାଗି ଏକ ସ୍ମରଣୀୟ ଦିନ ଥିଲା । ଦୀର୍ଘ ୨୮ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଏହି ସଫଳତା ମିଳିଥିଲା । ବିଶ୍ୱକପ୍ କ୍ରିକେଟ୍ ଜିତାଇବାରେ ଗୌତମ ଗମ୍ଭୀର ଓ ଧୋନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥଲା । ଏହି ମ୍ୟାଚରେ ଗମ୍ଭୀରଙ୍କ ୯୭ ଓ ଧୋନୀଙ୍କ ଅପରାଜିତ ୯୧ ରନ୍ ବଳରେ ଟିମ୍ ଇଣ୍ଡିଆକୁ ଏହି ସଫଳତା ମିଳିଥିଲା । ଟିମ୍ ଇଣ୍ଡିଆର ତତ୍କାଳୀନ ଅଧିନାୟକ ଧୋନୀ ଏହି ମ୍ୟାଚରେ ୭୯ ବଲରେ ୮ଟି ଚୌକା ଓ ୨ଟି ଛକା ବଳରେ ୯୧ ରନ୍ କରିଥିଲେ । ଧୋନି ୪୮.୨ ବଲରେ କୁଲସେକରାଙ୍କ ବଲକୁ ଛକା ମାରି ମ୍ୟାଚ ଜିତିଥିଲେ ।

ଧୋନି ଯେଉଁ ବ୍ୟାଟରେ ୯୧ ରନ୍ କରି ଭାରତକୁ ବିଶ୍ୱକପ୍ କ୍ରିକେଟ୍ ଜିତାଇଥିଲେ ସେହି ବ୍ୟାଟକୁ ଲଣ୍ଡନରେ ୧ ଲକ୍ଷ ପାଉଣ୍ଡରେ ନିଲାମ କରାଯାଇଛି । ଭାରତୀୟ ଟଙ୍କାରେ ଏହା ହେବ ୭୨ ଲକ୍ଷ । ସୂଚନା ମୁତାବକ ଲଣ୍ଡନର ଏକ ହୋଟେଲରେ ଧୋନୀଙ୍କ ବ୍ୟାଟ ସହ ବିଶ୍ୱକପରେ ବ୍ୟବହୃତ ଅନ୍ୟ ସବୁ ସାମଗ୍ରୀ ନିଲାମ କରାଯାଇଥିଲା । ଏହି ନିଲାମରୁ ମିଳିଥିବା ଅର୍ଥକୁ ଧୋନୀ ଗରିବ ପିଲାଙ୍କ ସାହାଯ୍ୟ ପାଇଁ କାର୍ୟ୍ୟ କରୁଥିବା ସାକ୍ଷୀ ଫାଉଣ୍ଡେସନକୁ ଦାନ କରିଥିଲେ । ଏହି ଫାଉଣ୍ଡେସନକୁ ଧୋନୀଙ୍କ ପତ୍ନୀ ସାକ୍ଷୀ ଚଳାଉଛନ୍ତି ।