ଦିନିକିଆ କ୍ରିକେଟରେ ଆଉ ରେକର୍ଡ କଲେ ଧୋନି! କୋହଲିଙ୍କୁ ଦେଉଛନ୍ତି ଟକ୍କର, ପଛରେ ପଡିଲେ ଲାରା

1,451

ବେ ଓଭାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସହଜ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୯୦ ରନରେ ମାତ୍ ଦେଇ ସାଧରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଏକ ବଡ ଉପହାର ଦେଇଛି ବିରାଟ ବାହିନୀ । ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟ ବିନିମୟରେ ୩୨୪ ରନ କରିଥିବା ବେଳେ କିୱି ଟିମ୍ ମାତ୍ର ୨୩୪ ରନରେ ଅଲଆଉଟ ହୋଇଥିଲା । ଏହି ମ୍ୟାଚରେ ରୋହିତ ଶର୍ମା ସର୍ବାଧିକ ୮୭ ରନ କରିଥିବା ବେଳେ ଶିଖର ଧୱନ ୬୬ , ଉଭୟ କୋହଲି ଓ ରାୟଡୁ ୪୩ ରନ ଲେଖାଏଁ କରି ପ୍ୟାଭିଲିୟନ ଫେରିଥିଲେ । ତେବେ ଶେଷ ପର୍ଯ୍ୟନ୍ତ ଧୋନି ଓ କେଦାର ଯାଦବ କ୍ରିଜରେ ରହି ଯଥାକ୍ରମେ ୪୮ ଓ ୨୨ ରନ କରିଥିଲେ । ତେବେ ଧୋନି ଏହି ୪୮ ରନ କରିବା ସହ ଦିନିକିଆ କ୍ୟାରିୟରରେ ଏକ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଧୋନି ଅପରାଜିତ ୪୮ ରନର ଇନିଂସ ଖେଳିବା ସହ ଦିନିକିଆ କ୍ରିକେଟରେ ସର୍ବାଧିକ ରନ ସ୍କୋର କରିବା ତାଲିକାରେ ୱେଷ୍ଟଇଣ୍ଡିଜରେ ବ୍ରାଏନ ଲାରାଙ୍କୁ ପଛରେ ପକାଇ ୧୧ ତମ ସ୍ଥାନରେ ପହଞ୍ଚିଛନ୍ତି । ଧୋନି ମୋଟ ୩୩୭ ମ୍ୟାଚରୁ ୧୦୪୧୪ ରନ କରିବା ସହ ଲାରାଙ୍କ (୧୦୪୦୫) ରନକୁ ପଛରେ ପକାଇଛନ୍ତି । ତେବେ ବିରାଟ କୋହଲି ପୂର୍ବତନ ଅଧିନାୟକ ଧୋନିଙ୍କ ଠାରୁ ଏହି ରେସରେ ଆଗରେ ରହିଛନ୍ତି । କୋହଲି ଏବେ ଦିନିକିଆ କ୍ରିକେଟରେ ୧୦୪୭୩ ରନ କରିଛନ୍ତି ।

ଦିନିକିଆ କ୍ରିକେଟରେ ସର୍ବାଧିକ ରନ ସ୍କୋର କରିବାର ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ସଚିନ ନିଜ କ୍ୟାରିୟରରେ ୧୮୪୨୬ ରନ କରିଥିବା ବେଳେ କୁମାର ସାଙ୍ଗାକାର ୧୪୨୩୪ ରନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସବୁଠାରୁ ବଡ କଥା ହେଉଛି, ଦିନିକିଆରେ ସର୍ବାଧିକ ରନ କରିଥିବା ଟପ୍-୧୧ ଖେଳାଳିଙ୍କ ମଧ୍ୟରୁ ଭାରତର ୫ ଜଣ ବ୍ୟାଟସମ୍ୟାନ୍ ରହିଛନ୍ତି । ସଚିନଙ୍କ ସମେତ ଦ୍ରାବିଡ, ଗାଙ୍ଗୁଲି, ବିରାଟ ଓ ଧୋନି ଏହି ତାଲିକାରେ ରହିଛନ୍ତି । ଏହାବାଦ୍ ଶ୍ରୀଲଙ୍କାର ୩ ଜଣ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନର ଜଣେ ଜଣେ ଖେଳାଳି ଏହି ତାଲିକାରେ ରହିଛନ୍ତି ।