ଗୋଟିଏ ପଟେ ଧୋନୀଙ୍କ କମାଲ, ଅନ୍ୟପଟେ ବିରାଟଙ୍କ ବିଫଳତା ! ବିଶ୍ୱକପ୍ ପୂର୍ବରୁ ମନୋବଳ ବଢ଼ାଇବା କୋହଲିଙ୍କ ପାଇଁ ବଡ ଚ୍ୟାଲେଞ୍ଜ । 

254

କନକ ବ୍ୟୁରୋ : କ୍ରିକେଟରେ କମାଲ ଜାରି ରଖିଛନ୍ତି ମହେନ୍ଦ୍ର ସିଂ ଧୋନୀ । ୩୭ ବର୍ଷ ବୟସରେ ବି ଦମଦାର ପ୍ରଦର୍ଶନ କରୁଛନ୍ତି ଏହି କୁଲ ମ୍ୟାନ । ତାଙ୍କ ଅଧିନାୟକତ୍ୱରେ ଆଇପିଏଲ ଦ୍ୱାଦଶ ସଂସ୍କରଣରେ ହାଟ୍ରିକ ବିଜୟୀ ହୋଇଛି ଚେନାଇ ସୁପର କିଙ୍ଗସ । ଅନ୍ୟପଟେ ବିରାଟ କୋହଲି ବାରମ୍ବାର ବିଫଳ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ହ୍ୟାଟ୍ରିକ ପରାସ୍ତ ହୋଇଛି ।

ଧୋନୀ ଅଛନ୍ତି ତ ବିଜୟ ଅଛି । ଏଭଳି କଥାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି  ଚେନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ  । ରବିବାର ଚେନାଇର ଚେପକ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଦଳକୁ ସଂକଟରୁ ବଂଚାଇବା ସହ ନିଜର ସର୍ବାଧିକ ବ୍ୟକ୍ତିଗତ ଆଇପିଏଲ ସ୍କୋର କରିଛନ୍ତି କୁଲ ମ୍ୟାନ ।  ମାତ୍ର ୪୬ଟି ବଲରୁ ୪ଟି ଚୌକା ଓ ୪ଟି ଛକା ମାରି ୭୫ ରନ୍ କରି ଦଳକୁ ଦୃଢ଼ ସ୍ଥିତିରେ ପହଁଚାଇଥିଲେ  ।

ରାଜସ୍ଥାନ ରୟାଲ୍ସ ବିପକ୍ଷ ଏହି ମ୍ୟାଚରେ ପ୍ରଥମରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ମାତ୍ର ୨୭ ରନରେ ୩ ୱିକେଟ୍ ହରାଇଥିଲା ସିଏସକେ । ମାତ୍ର ଚତୁର୍ଥ ୱିକେଟରେ ସୁରେଶ ରାଇନଙ୍କ ସହ ମିଶି ୬୧ ରନ୍ କରି ସେ ଦଳର ସ୍କୋରକୁ ୮୮ ରନରେ ପହଁଚାଇଥିଲେ । ହେଲେ ଏହି ସମୟରେ ରାଇନାଙ୍କ ୱିକେଟ୍ ପଡିବାରୁ ଦଳ ସଂଘର୍ଷ କରୁଥିଲା । ଏହା ପରେ ଡ୍ୱାନ୍ ବ୍ରାଭୋଙ୍କ ୨୭ ରନ୍ ସହାୟତାରେ ଆଉ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ କରଥିଲେ ଧୋନୀ  । ଶେଷ ୩ ଓଭରରୁ ୬୦ ରନ୍ ସଂଗ୍ରହ କରିଥିଲା ସିଏସକେ । ଧୋନୀଙ୍କ ଏହି କମାଲ ସହିତ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସକୁ ୮ ରନରେ ହରାଇ ହ୍ୟାଟ୍ରିକ ବିଜୟୀ ହୋଇଛି ।

ଅନ୍ୟପଟେ ଆଇପିଏଲ ଚଳିତ ସଂସ୍କରଣରେ ବାରମ୍ବାର ବିଫଳ ହୋଇଛନ୍ତି ବିରାଟ କୋହଲି  । ବିରାଟଙ୍କ ଅଧିନାୟିକତ୍ୱରେ ଖେଳୁଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ରବିବାର ସନ ରାଇଜର୍ସ ହାଇଦ୍ରାବାଦଠାରୁ ମ୍ୟାଚ ହାରିବା ସହ ହ୍ୟାଟ୍ରିକ ପରାଜୟ ବରଣ କରିଛି । ହାଇଦ୍ରାବାଦର ଡେଭିଡ୍ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋଙ୍କ ଦମଦାର ଶତକ ଆଗରେ ଛିନଛତ୍ର ହୋଇଯାଇଛି ବିରାଟ ଦଳ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୨୩୧ ରନ୍ କରିଥିଲା ହାଇଦ୍ରାବାଦ । ମାତ୍ର ବିରାଟଙ୍କ ଦଳ ନିର୍ଦ୍ଧାରିତ ଓଭର ପୂର୍ବରୁ ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚ ପୂର୍ବରୁ ଦୁଇଟ୍ ମ୍ୟାଚ ହାରି ସାରିଛି ବାଙ୍ଗାଲୋର ଦଳ । ଆଗକୁ ଆସୁଛି ବିଶ୍ୱକପ୍  । ଏଭଳି ସ୍ଥିିତିରେ ଲଗାତାର ଭାବେ ପରାଜୟ ବରଣ କରିବା ବିରାଟଙ୍କ ନେତୃତ୍ୱକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।