ଗୁରୁଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖେଳିଲେ ଶିକ୍ଷା କାର୍ଡ

33

କନକ ବ୍ୟୁରୋ : ଗୁରୁଦିବସରେ ଶିକ୍ଷକ କାର୍ଡ ଖେଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ‘ଟିଚର ଅନ କଲ’ ଯୋଜନାକୁ ପୁଣି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ନିଜ ଫେସବୁକ ପେଜରେ ଧର୍ମେନ୍ଦ୍ର ଲେଖିଛନ୍ତି, ରାଜ୍ୟ ସରକାର ଶୈକ୍ଷିକ ଭିତିଭୂମିର ବିକାଶ ଓ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରନ୍ତୁ । ଶିକ୍ଷକମାନଙ୍କୁ ଠିକାରେ କାମ କରାଇ ଉବେର ଏବଂ ଓଲା ଭଡା ଗାଡି ଭଳି ଅଳ୍ପ ପାରିଶ୍ରମିକ ଦେଇ ବିଦା କରାନଯାଉ ବୋଲି କଡା ଭାଷାରେ ଟିପ୍ପଣି କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ।

ନିଜ ଅଫିସିଆଲ ଫେସବୁକ ପେଜରେ ରାଜ୍ୟ ଗଣଶିକ୍ଷା ବ୍ୟବସ୍ଥାର ଏକ ଲମ୍ବା ଚଉଡା ବିବରଣୀ ଦେଇଛନ୍ତି ଧର୍ମେନ୍ଦ୍ର। ରାଜ୍ୟରେ ହାଇସ୍କୁଲଗୁଡିକରେ ୧୩ ହଜାର ୯ଶହ ୭୭ ଶିକ୍ଷକ ପଦବୀ ଖାଲି ପଡିଛି । ୩୮ଟି ଗ୍ରାମ ପଂଚାୟତରେ ଆଜି ବି ହାଇସ୍କୁଲ ନାହିଁ । ୩ଶହ ୭୬ ସ୍କୁଲର ନିଜସ୍ୱ ଘର ନାହିଁ । ରାଜ୍ୟରେ ମୋଟ ୫୩ ହଜାର ୨୫୨ ସ୍କୁଲରୁ ୪୨ହଜାର ୭୦ଟିର ନିଜସ୍ୱ ଖେଳ ପଡିଆ ନାହିଁ ।

ସେହିପରି ରାଜ୍ୟରେ ୪୧ ହଜାର ୬୭୦ ଏପରି ସ୍କୁଲ ରହିଛି ଯେଉଁଠି ପ୍ରତି ଶ୍ରେଣୀ ପାଇଁ ଗୋଟିଏ ବଖରା ଶ୍ରେଣୀଗୃହ ଉପଲବ୍ଧ ନାହିଁ । ମୋଟ ୧ ଲକ୍ଷ ୭ ହଜାର ୭୫୨ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ଦରମା ବିନା ଏକପ୍ରକାର ଠିକାରେ କାମ କରୁଛନ୍ତି । ତେଣୁ ପ୍ରଥମେ ଠିକାରେ କାମ କରୁଥିବା ଶିକ୍ଷକ ବନ୍ଧୁମାନଙ୍କୁ ନିୟମିତ କରାଯାଉ ବୋଲି ଧର୍ମେନ୍ଦ୍ର ପ୍ରସ୍ତାବ ରଖିଛନ୍ତି।