ଧର୍ମେନ୍ଦ୍ରଙ୍କୁ ଢେଙ୍କାନାଳ ମନା ! ନିମନ୍ତ୍ରଣ ଦେଇ ଅଡୁଆରେ ଶିକ୍ଷୟିତ୍ରୀ

40

ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ ବନାମ କେନ୍ଦ୍ରମନ୍ତ୍ରୀ । ଖୋଲାଖୋଲି ଭାବେ ଆରମ୍ଭ ହୋଇଯାଇଛି ନବୀନ୍ ଓ ଧର୍ମେନ୍ଦ୍ର ମଧ୍ୟରେ ରାଜନୈତିକ ଯୁଦ୍ଧ । କେନ୍ଦ୍ରମନ୍ତ୍ରୀଙ୍କୁ ଢେଙ୍କାନାଳ ମନା । ସ୍କୁଲ୍ କାର୍ଯ୍ୟକ୍ରମରେ ବି ଧର୍ମେନ୍ଦ୍ର ହୋଇ ପାରିବେନି ଅତିଥି । ସରକାରୀ କାର୍ଯ୍ୟକ୍ରମ ପୂର୍ବରୁ ସରକାରଙ୍କ ଠାରୁ ଦରକାର ଅନୁମତି । ଢେଙ୍କାନାଳ ଜିଲ୍ଲାପାଳଙ୍କ ଏ ଫତୁଆକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ଓଡପଡା ବ୍ଲକର କାଣ୍ଡବିନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସନ୍ତା ୨୬ରେ ଶହେ ବର୍ଷ ପୁରୁଛି । ତେଣୁ ଗ୍ରାମ୍ୟ କମିଟିର ସହାୟତାରେ ସ୍କୁଲ କର୍ତ୍ତୃପକ୍ଷ ଆୟୋଜନ କରିଥିଲେ ଶତବାର୍ଷକ ଉତ୍ସବ । ଆଉ ପଡୋଶୀ ଜିଲ୍ଲାର ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ । ହେଲେ ବିଜେପି ନେତାଙ୍କୁ ନିମନ୍ତ୍ରଣ କରି ଅଡୁଆରେ ପଡିଗଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ । ଆଉ ସପ୍ତାହକ ପୂର୍ବରୁ ଜିଲ୍ଲା ପ୍ରଶାସନ ଠାରୁ ପାଇଗଲେ ବଦଳି ନିର୍ଦେଶ । ସେପଟେ ଏହାକୁ ନେଇ ଶିକ୍ଷକ ସଂଘ ମଧ୍ୟ ଖପ୍ପା ।

ଜିଲ୍ଲା ପ୍ରଶାସନର ବିନା ଅନୁମତିରେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରି ପାରିବେନି ସ୍କୁଲ୍ କର୍ତ୍ତୃପକ୍ଷ । ଏ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏପରିକି ଏ ଭୂଲ ପାଇଁ ଶିକ୍ଷୟିତ୍ରୀଙ୍କୁ ବଦଳି ବି କରିଛନ୍ତି । ତେବେ ଏହାକୁ ହଜମ୍ କରି ପାରୁନି ଉତ୍ସବ ଆୟୋଜନ କମିଟି ।

ସେପଟେ ବିଜେପିର ଅଭିଯୋଗ, ଧର୍ମେନ୍ଦ୍ରଙ୍କ ଲୋକପ୍ରିୟତାକୁ ଦେଖି ବିଜେଡି ଅସୁରକ୍ଷିତ ହୋଇ ପଡିଛି । ତେଣୁ ଅମଲାଙ୍କୁ ବ୍ୟବହାର କରି, ଧର୍ମେନ୍ଦ୍ରଙ୍କ ଗସ୍ତ ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛି ।

ଏହା ପୂର୍ବରୁ ଧର୍ମେନ୍ଦ୍ରଙ୍କ ମାଲକାନଗିରି ଗସ୍ତକୁ ନେଇ ଝଡ ସୃଷ୍ଟି ହୋଇଥିଲା । ଜିଲ୍ଲା ପୁଲିସ୍ ସୁରକ୍ଷାର ଆଳ ଦେଖାଇ ଗସ୍ତ ଉପରେ କଟକଣା ଜାରି କରିଥିଲା । ଏପରିକି ପ୍ରୋଟୋକଲ୍ ଅନୁସାରେ ଜିଲ୍ଲାପାଳ ବି କେନ୍ଦ୍ରମନ୍ତ୍ରୀଙ୍କୁ ପାଛୋଟି ନେବାକୁ ଆସି ନଥିବା ଅଭିଯୋଗ ହୋଇଥିଲା ।