ମାଆ ମାଗୁଛି ପୁଅଠାରୁ ନ୍ୟାୟ : ନଜରକୁ ଆସିଛି ବଡବଡିଆ ପୁଅଙ୍କ ଛୋଟ ହୃଦୟର କାହାଣୀ

121

ଢେଙ୍କନାଳ : ମାଆ ମାଗୁଛି ପୁଅ ଠାରୁ ନ୍ୟାୟ । ବଡ଼ ଘରର ଏମିତି ଏକ ଗୁମର କଥା ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କ ହୃଦୟ ତରଳି ଯିବ । ତେବେ ମାଆକୁ ନିର୍ଯ୍ୟାତନା ଦେଉଥିବା ପୁଅ ଏମିତି ସେମତି ନୁହଁନ୍ତି । ଢେଙ୍କନାଳ ଜିଲ୍ଲା ହିନ୍ଦୋଳର ଉପ-ଜିଲ୍ଲାପାଳ ଭାବେସେ କାର୍ଯ୍ୟରତ । ଏପରିକି ସାନପୁଅ ବି ଥିଲେ ଜଣେ ପୋଲିସ ଅଫିସର । ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା , ପୁଅବୋହୂର ନିର୍ଯାତନା ସୀମା ଡ଼େଇଁବା ପରେ ଆଜି ମାଆ ଆସିଥିଲେ ଥାନାକୁ । ଆଉ ଲିଖିତ ଭାବେ ଥାନାବାଲାଙ୍କୁ ବଢାଇ ଦେଇଥିଲେ ପୁଅ ବିରୁଧରେ ଅଭିଯୋଗ ଫର୍ଦ୍ଦ ।

ଅଂଟା ସଳଖି ଛିଡ଼ା ହେବାର ବୟସ ଚାଲିଯାଇଛି । ପାଦରେ ନାହିଁ ଚାଲିବାର ଶକ୍ତି । ସମୟ ବି ଛଡ଼ାଇ ନେଇଛି ସ୍ୱାମୀଙ୍କୁ ।  ଯାହାଙ୍କ କାହାଣୀ ଶୁଣିଲେ ଆଖି ଓଦା ହୋଇଯିବା ସ୍ୱାଭାବିକ । କାରଣ ମାଆକୁ ପାଦରେ ଆଡ଼େଇ ଦେଇଛି ପୁଅ । ବୋହୂ କରିଛି ଛିଛାକର । ଆଉ ପୁଅ ବୋହୂ ଘରୁ ତଡ଼ି ଦେବାପରେ ଥାନା ଦୁଆରକୁ ଆସିଛି ମାଆ । କାଳେ ଆଇନ୍ ତାକୁ ନ୍ୟାୟ ଦେବ ।

ଏ ନିର୍ଯାତିତ ମାଆଙ୍କର ବଡ଼ ପୁଅ ହେଉଛନ୍ତି ଅତୁଲ୍ୟ ଚମ୍ପତିରାୟ । ଯିଏ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ । ଆଉ ସାନପୁଅଙ୍କୁ ସାରା ରାଜ୍ୟ ଚିହ୍ନେ । ଅମୁଲ୍ୟ ଚମ୍ପତିରାୟ । କିଛିବର୍ଷତଳେ ଏବାବୁଙ୍କୁ ରାଜ୍ୟ ସରକାରଙ୍କର ପୋଲିସ ଅଫିସର ଚାକିରୀରୁ ବରଖାସ୍ତ କରିଥିଲେ । ଏ ଦୁଇ ଅଫିସରିଆ ପୁଅଙ୍କ ବିଧବା ମାଆ ହେଲେ ଗୋଲାପ ଚମ୍ପତିରାୟ ।

ସ୍ୱାମୀଙ୍କ ମୃତ୍ୟୁ ପରେ ଭୁବନେଶ୍ୱରସ୍ଥିତ ବଡ଼ପୁଅ ଅତୁଲ୍ୟଙ୍କ ଘରେ ରହୁଥଲେ ମାଆ ହେଲେ ମାଆକୁ ପୂଜା କରିବା ପରିବର୍ତେ ନିର୍ଯାତନା ଦେଲେ ପୁଅବୋହୂ । ଦିନ ଦିନ ଧରି ଉପାସରେ ରହିଲେ । ସେପଟେ ମାଆଙ୍କ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଫିସରିଆ ପୁଅ ଅତୁଲ୍ୟ । କହିଛନ୍ତି ଜମିଜମାକୁ ନେଇ ପରିବାରରେ କନ୍ଦଳ ରହିଛି ।

ସତ କିଏ ମିଛ କିଏ ଏ କଥା ତଦନ୍ତ ପରେ ଜଣା ପଡ଼ିବ । ହେଲେ ପୁଅଠାରୁ ମାଆ, ନ୍ୟାୟ ମାଗିବା ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :