ବିଦ୍ୟୁତ ସର୍ଟସର୍କିଟରୁ ଲାଗିଲା ନିଆଁ । ଢେଙ୍କାନାଳରେ ବଡ ଅଘଟଣ, ଜଳିଗଲା ୨୦ ବଖରା ଘର

ବିଦ୍ୟୁତ ସର୍ଟସର୍କିଟରୁ ଘଟିଗଲା ବଡ ଅଘଟଣ

95

କନକ ବ୍ୟୁରୋ : ବିଦ୍ୟୁତ ସର୍ଟସର୍କିଟରୁ ଘଟିଗଲା ବଡ ଅଘଟଣ । ନିଆଁ ଲାଗି ଜଳିଗଲା ୨୮ ବଖରାରୁ ଅଧିକ ଘର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଂଚାୟତର କେନ୍ଦୁଢିପି ଗାଁରେ ଆଜି ସକାଳେ ଘଟିଛି ଅଗ୍ନିକାଣ୍ଡ । ଯେଉଁଥିରେ ୨୦ ପରିବାରର ୨୮ରୁ ଅଧିକ ବଖରା ଘର ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ ସର୍ଟସର୍କିଟ ହୋଇ ପ୍ରଥମେ ଗାଁର ବିପିନ ପରିଡାଙ୍କ ଘରେ ନିଆଁ ଲାଗିଥିଲା । ପରେ ଏହି ନିଆଁ ପାଖ ପଡୋଶୀଙ୍କୁ ଘରକୁ ବ୍ୟାପି ଯାଇଥିଲା । ନିଆଁର ପ୍ରକୋପ ଏତେ ଭୟାବହ ଥିଲା ଯେ ପିନ୍ଧା ବସ୍ତ୍ରକୁ ଛାଡି ଅଗ୍ନିବିପନ୍ନ ପରିବାର ଆଉ କିଛି ଉଦ୍ଧାର କରିପାରିନଥିଲେ ।

 

ଖବର ପାଇ ଅଗ୍ନିଶମ ବାହିନୀ ଗାଁରେ ପହଂତି ନିଆଁକୁ ଆୟତ କରିଥିଲେ । ତେବେ ନିଆଁ କିପରି ଲାଗିଥିଲା ତାହାର ତଦନ୍ତ ହେଉଥିବା ବେଳେ ଏହାର ପ୍ରକୃତ କାରଣ ଜଣାପଡିନାହିଁ । ନିଆଁର ରୂପ ଏତେ ଭୟଙ୍କର ଥିଲା ଯେ, ଚାହୁଁ ଚାହୁଁ ସାରା ଗ୍ରାମରେ ନିମିସକେ ବ୍ୟାପିଥିଲା । ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା । ତେବେ ନିଆଁରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।