ସେଲଟର ହୋମ ଯୌନ ନିର୍ଯାତନା ମାମଲା : ଶାଖା ପରିଚାଳକ ସୀମାଂଚଳକୁ ଗିରଫ କଲା ପୋଲିସ

140

କନକ ବ୍ୟୁରୋ : ଢେଙ୍କାନାଳର ସେଲଟର ହୋମରେ ଶାରୀରିକ ଶୋଷଣ ଅଭିଯୋଗରେ ଆସିଲା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେଲଟର ହୋମର ଶାଖା ପରିଚାଳକ ସୀମାଂଚଳ ନାୟକଙ୍କୁ ଗିରଫ କରିଛି ଢେଙ୍କାନାଳ ପୋଲିସ । ଆଉ ଏବେ ହୋଇଥିବା ଅଭିଯୋଗର ତଦନ୍ତ କରୁଛି ୫ ଜଣିଆ ଟିମ । ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି ସଦସ୍ୟ ଏହି ଟିମରେ ଅଛନ୍ତି । ଢେଙ୍କାନାଳ ବେଲଟିଗିରିି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ନାବାଳିକାଙ୍କୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ହୋଇଛି । ଗୁଡ ନ୍ୟୁଜ ଇଣ୍ଡିଆ ସଂସ୍ଥାର ମୁଖ୍ୟ ଫୟାଜ ରେହେମାନ ଝିଅଙ୍କୁ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ଚୁମ୍ବନ ଦେଉଥିବାର ଅଭିଯୋଗ ହୋଇଥିଲା ।

ଆଜି ଅନ୍ତେବାସୀ କହିଛନ୍ତି, ଫୟାଜ ରେହମାନଙ୍କ ସହ ସେଲଟର ହୋମକୁ ଆସୁଥିଲେ ବିଦେଶୀ । ଝିଅଙ୍କୁ ବିଦେଶୀ ଜୋରଜବରଦସ୍ତ ଚୁମ୍ବନ କରୁଥିବା ସହ ସମ୍ବେଦନଶୀଳ ଅଙ୍ଗକୁ ଛୁଉଁଥିବା ଅଭିଯୋଗ ରହିଛି । ଗତକାଲି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତୃପକ୍ଷ ସେଲଟର ହୋମରେ ପହଂଚିଥିବା ବେଳେ ଏନେଇ ତଦନ୍ତକାରୀ ଟିମ୍ ନିକଟରେ ଅଭିଯୋଗ କରିଛନ୍ତି ଅନ୍ତେବାସୀ । ଏମିତିକି ସେଲଟର ହୋମର ରୋଷେୟା ମଧ୍ୟ ଏମିତି କିଛି ଘଟଣା ଦେଖିଥିବା ଅଭିଯୋଗ କରିଛି ।

ତେବେ ଏନେଇ ସ୍ପଷ୍ଟୀକରଣ କରିଛନ୍ତି ସେଲଟର ହୋମ ଚେୟାରମ୍ୟାନ ଫୟାଜ ରେହମାନ । ଏଭଳି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । ୨୦ ବର୍ଷ ଧରି ସେବାଶ୍ରମ ବିରୋଧରେ କୌଣସି ଅଭିଯୋଗ ନାହିଁ । ପ୍ରାୟ ୫୦ ପିଲା ଏପରି ହୋଇନଥିବା କହିଛନ୍ତି । ୪ ରୁ ୫ ଜଣ ପିଲାଙ୍କୁ ଶିଖାଯାଇଥିବାରୁ ସେମାନେ ଏପରି କହିଛନ୍ତି । ଆଉ ୩ ରୁ ୪ ଦିନ ଭିତରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ରେହମାନ କହିଛନ୍ତି ।