ପିସି ପାଇଁ ଫନ୍ଦି ଫିକର ! କନକ ନ୍ୟୁଜରେ ରିପୋର୍ଟ ପ୍ରସାରଣ ପରେ ମାମଲା ରଫାଦଫା କରିବା ପାଇଁ ପଡ଼ିଲା ଚାପ

33

କନକ ବ୍ୟୁରୋ : ପିସି ପାଇଁ ଫନ୍ଦି ଫିକର । କନକ ନ୍ୟୁଜରେ ପିସି ସମ୍ପର୍କୀତ ଏକ ରିପୋର୍ଟ ପ୍ରସାରଣ ପରେ ସମ୍ପୃକ୍ତ ଅଫିସର ଏହା ଭୁଲ୍ ପ୍ରମାଣିତ କରିବା ପାଇଁ କିଭଳି ଫନ୍ଦି ଫିକର କରିଛନ୍ତି, ତାର ପ୍ରମାଣ ସାମ୍ନାକୁ ଆସିଛି । ଏପରିକି ମାମଲା ରଫାଦଫା କରିବା ପାଇଁ ଜଣେ ଗରିବ ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଚାପ ପକାଯାଇଛି । ଏହାର ପ୍ରମାଣ ମଧ୍ୟ କନକ ନ୍ୟୁଜ୍ ହାତରେ ଲାଗିଛି । କନକ ନ୍ୟୁଜରେ ରିପୋର୍ଟ ପ୍ରସାରଣ ପରେ ସମ୍ପୃକ୍ତ ବିଡିଓ ଜଣକ ଏହାକୁ ପ୍ରତିବାଦ କରି ତାଙ୍କ ଅଫିସରେ ସବୁ କର୍ମଚାରୀଙ୍କୁ ନେଇ କଲମ ଛାଡ ଆନ୍ଦୋଳନ ମଧ୍ୟ କରିଛନ୍ତି । କେବଳ ଏତିକି ନୁହେଁ ସଂପୃକ୍ତ ରିପୋର୍ଟରଙ୍କୁ ଖବର ପ୍ରସାରଣ ବନ୍ଦ କରିବାକୁ ମଧ୍ୟସ୍ଥି ଜରିଆରେ ଲାଂଚ ବି ଯଚାଯାଇଛି ।

ସରକାରୀ ସୁବିଧା ପାଇବାକୁ ହେଲେ ଦେବାକୁ ପଡିବ ପିସି । ହାତଗୁଂଜା ନଦେଲେ ମିଳିବନି ସରକାରୀ ଯୋଜନାର ସୁଫଳ । ଢେଙ୍କାନାଳ ହିନ୍ଦୋଳର ଏହି ଘଟଣା ସାରା ରାଜ୍ୟରେ ଚାଲିଥିବା ପିସି କାରବାର ଏବଂ କନକ ନ୍ୟୁଜର ଅଭିଯାନ ଉପରେ ଲଗାଇଥିଲା ମୋହର । ପ୍ରମାଣ ମିଳିଲା ଗାଁ ଗାଁରେ କିଭଳି ଚାଲିଛି ପର୍ସେଂଟେଜ୍ କାରବାର । ଉପଜିଲ୍ଲାପାଳ ବି କହିଲେ , ପିସି କାରବାର ଅଭିଯୋଗର ତଦନ୍ତ ହେବ । ଇନ୍ଦିରା ଆବାସ ହେଉ କି ବିଜୁ ପକ୍କା ଘର ଅଥବା ବାର୍ଦ୍ଧକ୍ୟ ଭତ୍ତା । ସରକାରୀ ସୁବିଧା ପାଇଁ ଚାଲିଛି କମିଶନ କାରବାର । ସାରା ରାଜ୍ୟରେ ତୁହାକୁ ତୁହା ଅଭିଯୋଗ ପରେ ବିଚଳିତ ହୋଇପଡିଲେ ସରକାର । ଆଉ ମୁଁହ ଖୋଲି ମୁଖ୍ୟମନ୍ତ୍ରୀ କହିଲେ, ବନ୍ଦ କର ପିସି କାରବାର ।

ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ପିସି ଖାଉଥିବା ବାବୁଙ୍କ ମଧ୍ୟରେ ଖେଳିଗଲା ହଇଚଇ । ଏପଟେ ଅଭିଯୋଗ ଆସିଥିବା ଢେଙ୍କାନାଳ ବିଡିଓ ପିସି ଅଭିଯୋଗରୁ ବର୍ତ୍ତିବାକୁ ଫନ୍ଦି ଫିକର ଆରମ୍ଭ କରିଦେଲେ । ଲାଂଚ ମାମଲା ଚପାଇ ଦେବାକୁ ଅଭିଯୋଗକାରୀଙ୍କ ଉପରେ ବିଭିନ୍ନ ଉପାୟରେ ଚାପ ପକାଇବାକୁ ଲାଗିଲେ । ଅଭିଯୋଗକାରୀ ଦିବ୍ୟାଙ୍ଗକୁ ଭେଟି ମାମଲା ରଫାଦଫା କରିବାକୁ କଥା ହେଲେ ହିନ୍ଦୋଳ ବ୍ଲକ୍ ଚେୟାରମ୍ୟାନ୍ । ବିଡିଓ ଓ ବ୍ଲକ୍ ଚେୟାରମ୍ୟାନଙ୍କ ଏହି ଫନ୍ଦି ଫିକର ପରେ ଅସହାୟ ଦିବ୍ୟାଙ୍ଗ ଜଣକ ବୁଝିପାରିଲେ ଏତେ ବଡ ବିଡିଓ ବାବୁଙ୍କ ବିରୋଧରେ ଅଭିଯୋଗ ଆଣି ସେ ଭୁଲ୍ କରିଛନ୍ତି । କେବଳ ସେତିକି ନୁହେଁ ସବୁ କର୍ମଚାରୀଙ୍କୁ ସାଥିùe ନେଇ କନକ ନ୍ୟୁଜର ଏହି ରିପୋର୍ଟକୁ ପ୍ରତିବାଦ କରି କଲମ ଛାଡ ଆନ୍ଦୋଳନ କଲେ ବିଡ଼ିଓ ବାବୁ ।