ଢ଼େଙ୍କାନାଳ ରାଜନୀତିରେ ନୂଆ-ପୁରୁଣା ଲଢ଼େଇ ! ତଥାଗତଙ୍କ ପରେ ବିଜେଡ଼ି ସୁପ୍ରିମୋଙ୍କ ମନ ଜିଣିଲେ ପାଳଲହଡ଼ା ବିଧାୟକ

364

କନକ ବ୍ୟୁରୋ : ଢ଼େଙ୍କାନାଳରେ ଏଥର ଦେଖିବାକୁ ମିଳିବ ରୋଚକ ଲଢ଼େଇ । ନୂଆ ଓ ପୁରୁଣା ମୁହଁ ମଧ୍ୟରେ ହେବ ଜୋରଦାର ଲଢ଼େଇ । ନିର୍ବାଚନୀ ଉଷ୍ମତା ଭିତରେ ଢ଼େଙ୍କାନାଳ ଲୋକସଭା ପାଇଁ ସମସ୍ତ ଦଳ ପ୍ରାର୍ଥୀ ଚୟନ କରିସାରିଛନ୍ତି । ପୂର୍ବରୁ ବିଜେପି ଓ କଂଗ୍ରେସ ଟିକେଟ ଘୋଷଣା କରିଥିବା ବେଳେ ଗତକାଲି ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ । ତଥାଗତ ଶତପଥୀ ଏହି ଆସନରୁ ଲଗାତାର ୩ ଥର ନିର୍ବାଚିତ ହୋଇଥିବା ବେଳେ ଏଥର ଢ଼େଙ୍କାନାଳ ପାଇଁ ନୂଆ ମୁହଁ ଉପରେ ଭରସିଛନ୍ତି ବିଜେଡ଼ି ସୁପ୍ରିମୋ । ଢ଼େଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିଛନ୍ତି ପାଳଲହଡ଼ା ବିଧାୟକ । ମହେଶ ସାହୁଙ୍କୁ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥୀ କରିଛି ବିଜେଡ଼ି । ରାଜନୀତି ପାଇଁ ନୂଆ ନହେଲେ ବି ଢ଼େଙ୍କାନାଳ ବାସୀଙ୍କ ପାଇଁ ନୂଆ ମୁହଁ ମହେଶ ସାହୁ ।

ଅନେକ କଳ୍ପନା ଜଳ୍ପନା ପରେ ଢ଼େଙ୍କାନାଳ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ । ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ଏଥର ନିର୍ବାଚନ ଲଢିବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ଏଥର ଏହି ଆସନରୁ କାହାକୁ ଦଳୀୟ ପ୍ରାର୍ଥୀ କରାଯିବ ସେଥିନେଇ କଳ୍ପନାଜଳ୍ପନା ଚାଲିଥିଲା । ଶେଷରେ ପାଳଲହଡ଼ା ବିଧାୟକ ମହେଶ ସାହୁଙ୍କୁ ନବୀନ ଦଳୀୟ ପ୍ରାର୍ଥୀ ଭାବେ ବାଛିଛନ୍ତି । ପୂର୍ବରୁ ବିଜେପିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ମହେଶ ସାହୁ । ଆଉ ବିଜେଡ଼ିରେ ମିଶିବା ପରେ ପାଳଲହଡ଼ା ବିଧାନସଭା ଆସନରୁ ଟିକେଟ ପାଇ ନିର୍ବାଚନ ଜିତିଥିଲେ ମହେଶ ସାହୁ । ଅନ୍ୟପଟେ ବିଧାୟକ ମହେଶ ସାହୁ ଢ଼େଙ୍କାନାଳ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୀତ ହେବା ପରେ ତାଙ୍କ ସ୍ଥାନରେ ମୁକେଶ ପାଲଙ୍କୁ ପ୍ରାର୍ଥୀ କରାଯାଇଛି । ଢେଙ୍କାନାଳ ଲୋକସଭା ଆସନରେ ଚଳିତ ଥର ବିଜେଡି ପ୍ରାର୍ଥୀ ମହେଶ ସାହୁ,ବିଜେପି ପ୍ରାର୍ଥୀ ରୁଦ୍ର ପାଣି  ଓ କଂଗ୍ରେସ ପ୍ରତ୍ୟାଶୀ କାମାକ୍ଷା ପ୍ରସାଦ ସିଂଦେଓଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ।

ବିଜେପି ପ୍ରାର୍ଥୀ ରୁଦ୍ର ପାଣି ଗତଥର ନିର୍ବାଚନ ଲଢ଼ିଥିଲେ ମଧ୍ୟ ତଥାଗତ ଶତପଥୀଙ୍କ ଠାରୁ ୧,୩୭, ୩୪୦ ମାର୍ଜିନରେ ନିର୍ବାଚନ ହାରିଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଢ଼େଙ୍କାନାଳରେ ବିଜେଡ଼ି ମଜଭୁତ ସ୍ଥିତିରେ ରହିଛି । ଅନ୍ୟପଟେ ଢ଼େଙ୍କାନାଳର ପୂର୍ବତନ ସାଂସଦ କାମାକ୍ଷା ପ୍ରସାଦ ସିଂଦେଓଙ୍କ ଉପରେ ପୁଣି ଭରସା କରିଛନ୍ତି କଂଗ୍ରେସ ହାଇକମାଣ୍ଡ ।  ଏହି ଆସନରେ କାମକ୍ଷା ପ୍ରସାଦ ସିଂଦେଓ ସର୍ବମୋଟ ୬ ଥର ନିର୍ବାଚନ ଜିତିଛନ୍ତି । ୫ ଥର କଂଗ୍ରେସ ଟିକେଟରୁ ଓ ଥରେ ସ୍ୱତନ୍ତ୍ର ପାର୍ଟି ତରଫରୁ ଢ଼େଙ୍କାନାଳ ଆସନ ହାତେଇ ସାରିଛନ୍ତି କାମକ୍ଷା । ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଓ କଂଗ୍ରେସ ପ୍ରାର୍ଥୀ କାମକ୍ଷା ପ୍ରସାଦ ସିଂଦେଓ ଢ଼େଙ୍କାନାଳ ପାଇଁ ନୂଆ ମୁହଁ ନୁହେଁ । ହେଲେ ଏହି ଦୁଇ ପୁରୁଖା ତଥା ଟାଣୁଆ ନେତାଙ୍କୁ ନିର୍ବାଚନୀ ଯୁଦ୍ଧରେ ଟକ୍କର ଦେବାପାଇଁ ମହେଶ ସାହୁଙ୍କୁ ମୈଦାନକୁ ଆଣିଛନ୍ତି ବିଜେଡ଼ି ସୁପ୍ରିମୋ ।

ସୂଚନାଯୋଗ୍ୟ ୨୦୦୪ରୁ ୧୦୧୪ ପର୍ଯ୍ୟନ୍ତ ବିଜେଡ଼ି ହାତରେ ରହିଛି ଢ଼େଙ୍କାନାଳ ଲୋକସଭା ଆସନ । ନବୀନ ପଟ୍ଟନାୟକଙ୍କ ଉପରେ ଭରସା କରିଛନ୍ତି ଢ଼େଙ୍କାନାଳ ବାସୀ । ଢ଼େଙ୍କନାଳର ପୂର୍ବତନ ଫଳାଫଳ ଦେଖିାବାକୁ ଗଲେ ସ୍ପଷ୍ଟ ଜଣାପଡ଼ୁଛି ଏହି ଆସନରେ ବିଜେଡ଼ି ଓ କଂଗ୍ରେସ ନିଜର ପତିଆରା ଦେଖାଇଛ ନ୍ତି । ପୂର୍ବରୁ କଂଗ୍ରେସର ସ୍ଥିତି ସୁଦୃଢ଼ ଥିବା ବେଳେ ୨୦୦୪ରୁ  ଶତପଥୀଙ୍କ ଉପରେ ଭରସିଥିଲେ ଢ଼େଙ୍କାନାଳ ବାସୀ । ତିନି ଥରର ସାଂସଦ ତଥାଗତ ଶତପଥୀଙ୍କ ବଦଳରେ ଏଥର ମହେଶ ସାହୁ ଢ଼େଙ୍କାନାଳରୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୪ରେ ବିଜେଡ଼ି ଟିକେଟରୁ ପାଳଲହଡ଼ା ବିଧାନସଭା ନିର୍ବାଚନ ଜିତିଥିଲେ ମହେଶ ସାହୁ । ବିଜେଡ଼ି ଟିକେଟରୁ ନିର୍ବାଚନ ଲଢ଼ିବା ପୂର୍ବରୁ ବିଜେପିରୁ ୩ ଥର ବିଧାୟକ ହୋଇସାରିଛନ୍ତି ମହେଶ ସାହୁ । ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ଲଗାତାର ବିଜେପି ଟିକେଟରୁ ତାଲଚେର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ସାରିଛନ୍ତି ମହେଶ ସାହୁ ।