କନକ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି ଲୁଟ । ତେବେ ଲୁଟ ହେବା ସମୟରେ କ୍ୟାମେରା ଆଗରେ ଦେଖାଯାଇଛି ସୁଟର ସମସ୍ତ ଘଟଣା । ସିସିଟିଭିରେ କଏଦ ହେଲା ଲୁଟର ଲାଇଭ୍ ଚିତ୍ର । ଏହି ଘଟଣା ଘଟିଛି ଢେଙ୍କାନାଳ ଲକ୍ଷ୍ମୀବଜାର ଅଂଚଳରେ । ଗତକାଲି ସଂଧ୍ୟାରେ ସ୍ଥାନୀୟ ଏସବିଆଇ ଶାଖା ସମ୍ମୁଖରେ ଜଣେ ବ୍ୟକ୍ତି ସାଢେ ୭ ଲକ୍ଷ ଟଙ୍କା ଧରି ଜମା କରିବା ପାଇଁ ଆସିଥିଲେ । କିନ୍ତୁ ବ୍ୟାଙ୍କ ଶାଖା ବନ୍ଦ ହୋଇଯାଇଥିବାରୁ ନିଜ କାରକୁ ଫେରି ଆସୁଥିବା ବେଳେ ଦୁଇ ଜଣ ଦୁବୃର୍ତ ବାଇକରେ ଆସି ଜନଗହଳିପୂର୍ଣ୍ଣ ସ୍ଥାନରୁ ଟଙ୍କାବ୍ୟାଗକୁ ଛଡେଇ ନେଇ ଫେରାର ହୋଇଯାଇଛନ୍ତି ।

 

ସ୍ଥାନୀୟ ଲୋକେ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରି ନଥିଲେ ।ଲୁଟର ଶୀକାର ହୋଇଥିବା ବ୍ୟକ୍ତି ଜଣକ ଗୁଡିଆକାଟେଣୀ ଅଂଚଳର ବୋଲି ଜଣାପଡିଛି । ଖବର ପାଇବା ପରେ ଟାଉନ ଥାନା ପୋଲିସ ନିଜ ତରଫରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତମାନ ସୁଦ୍ଧା ଲୁଟେରାଙ୍କ ଟେର ପାଇ ପାରିନାହିଁ ପୋଲିସ । ବଜାର ଉପରେ ଲାଗି ଥିବା ଏକ ସିସିଟିଭିରେ ଏହି ଲୁଟର ଚିତ୍ର କଏଦ ହୋଇଛି । ତେବେ ଘଟଣାସ୍ଥଳରେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ପାଟି କଲାପରେ ମଧ୍ୟ ସ୍ଥାନୀୟ ଲୋକମାନେ ଲୁଟେରାଙ୍କୁ ଧରିବାରେ ସମର୍ଥ ହୋଇନାହାନ୍ତି । ଏହା ପୂର୍ବରୁ ଅନେକ ଥର ଢେଙ୍କାନାଳ ଅଞ୍ଚଳର ବଜାରରେ ଏପରି ଭାବରେ ଲୁଟ କରାଯାଇଛି । ତେବେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ପୋଲିସର ଚିନ୍ତା ବଢିଛି ।