ହଜିଗଲା ମାନବିକତା : ଶବକୁ ମିଳିଲାନି କାନ୍ଧ । ବାପାର ଶବକୁ ଟ୍ରଲିରେ ଶ୍ମସାନକୁ ନେଲା ଝିଅ

40

କନକ ବ୍ୟୁରୋ: ହଜିଗଲା ମାନବିକତା । ବାପାର ଶବକୁ ଟ୍ରଲିରେ ଶ୍ମସାନକୁ ନେଲା ଝିଅ । ଢେଙ୍କାନାଳ ଭୁବନ ଅଂଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କୁ ୪ଟି କାନ୍ଧ ମିଳିଲା ନାହିଁ । କାରଣ ତାଙ୍କର କୌଣସି ପୁଅ ନଥିଲେ । ଅବଶ୍ୟ ତାଙ୍କ ଝିଅ ଗୋଟିଏ ଟ୍ରଲିରେ ଶବକୁ ରଖି ସଂସ୍କାର ପାଇଁ ନେଇଥିଲେ ।

ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ କଣପାଳ ପଚାଂୟତର ନିଳକଣ୍ଠପୁର ଗ୍ରାମର ଦୈତାରୀ ମଲ୍ଲିକ (୬୦) ପୁରୁଷୋତ୍ତମପୁର ଗ୍ରାମକୁ ଧାନ ତଳି ପୋତିବା ପାଇଁ ସୋମବାର ଯାଇଥିଲେ । ସେ କାମସାରି ଅପରାହ୍ନ ୪ଟା ୩୦ରେ ଘରକୁ ଫେରୁଥିଲେ । ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲୋ ଗତକାଲି ଗାଧୁଆ ତୁଠ ନିକଟରେ ଦୈତାରୀଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ମହୁଳପାଳ ରାଜସ୍ୱ ନୀରିକ୍ଷକ ଗୋରୀଶଙ୍କର ପରିଡା, ଏସ.ଆଇ ପଙ୍କଜ ମାଝି ପହଞ୍ଚି ତଦନ୍ତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ ।

ସୂଚନାଯୋଗ୍ୟ ଦୈତାରୀଙ୍କ ୩ଟି ଝିଅ ବିବାହିତା। ପୁଅ ନଥିବାରୁ ପରିଣତ ବୟସରେ ନିଜେ ରୋଜଗାର କରି ଘର ଚଳାଉଥିଲେ । ପକ୍କା ଘରଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ । ଦୈତାରୀ ମଲା ସିନା ପକ୍କା ଘରଖଣ୍ଡେ ତାଙ୍କୁ ମିଳିଲା ନାହିଁ । ଦୁଇ ଝିଅ ଦୈତାରୀର ଶବକୁ ଟ୍ରଲିରେ ପକାଇ ନିଜ ଗ୍ରାମକୁ ନେଇଥିଲେ । ଭୁବନ ହସ୍ପିଟାଲରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନଥିବାରୁ ଓ ପରିବାରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ଦଳିତ ବୃଦ୍ଧ ଦୈତାରୀଙ୍କୁ ଝିଅମାନେ ଟ୍ରଲିରେ ଘରକୁ ନେଇ ଯାଇଥିଲେ।