ପଡିଆ ଉପରେ ନାଚି ଉଠିଲେ ଧୱନ ! ଢୋଲ ବାଜୁଥିଲା, ଶିଖର ନାଚୁଥିଲେ ।

19

ଲଂଣ୍ଡନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ୍ ଖେଳାଯାଉଛି । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ଦିନରୁ ହିଁ ଦଳର ୭ଟି ଓି୍ୱକେଟର ପତନ ଘଟିଛି । ପ୍ରଥମରୁ ଦଳ ମଜଭୁତ ସ୍ଥିତିରେ ଥିବା ବେଳେ ଲଞ୍ଚ ପରେ ଆରମ୍ଭ ହୋଇଯାଇଥିଲା ୱିକେଟ ପତନ । ଆଲିଷ୍ଟର କୁକ ଏବଂ ମୋଇନ ଅଲ୍ଲୀ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ପରେ କ୍ରମାଗତ ଭାବେ ୱିକେଟ ପତନ ହୋଇଥିଲା । ଆଉ ଏହା ପରେ ଟିମ୍ ଇଣ୍ଡିଆ ଦୃଢ ସ୍ଥିତିରେ ରହିଛି । ଯେଉଁଥିପାଇଁ ଷ୍ଟାଡିୟମରେ ଉପସ୍ଥିତ ଥିବା ଭାରତୀୟ ପ୍ରଂଶସକଙ୍କ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଇଂଲଣ୍ଡର ୱିକେଟ ପତନ ଘଟୁଥିବା ବେଳେ ଷ୍ଟାଡିୟମ ପରିସରରେ ଉପସ୍ଥିତ ଥିବା ଭାରତୀୟ ଦର୍ଶକମାନେ ଢୋଲ ବଜାଇ ଖୁସି ଜାହିର କରିଥିଲେ । ଏବଂ ଯେତେବେଳେ ଷ୍ଟାଡିୟମ ବାଉଣ୍ଡ୍ରି ମଧ୍ୟରେ ଢୋଲର ଶବ୍ଦ ଶୁଭିଥିଲା, ସେତେବେଳେ ନିଜକୁ ସମ୍ଭାଳି ପାରନଥିଲେ ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ । ସେ ସୀମା ରେଖା ନିକଟରେ କ୍ଷେତ୍ର ରକ୍ଷଣ କରୁଥିଲେ । ଏବଂ ଢୋଲର ଶବ୍ଦ ଶୁଣିବା କ୍ଷଣି ନାଚିବା ଆରମ୍ଭ କରିଥିଲେ ଧୱନ । ଆଉ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ ଉପସ୍ଥିତ ଦର୍ଶକ । ଏହାପରେ ସୋସିଆଲ ମିଡିଆରେ ଧୱନଙ୍କ ଏହି ଡ୍ୟାନ୍ସ ଭାଇରାଲ ହେବାରେ ଲାଗିଛି । ଖାଲି ଏତିକି ନୁହେଁ ମ୍ୟାଚରେ କମେଣ୍ଟ୍ରି କରୁଥିବା ହରଭଜନ ସିଂହ ମଧ୍ୟ ଶିଖରଙ୍କୁ ଦେଖି ନିଜକୁ ରୋକି ପାରିନଥିଲେ ଏବଂ ସେହି ଠାରେ ହିଁ ସେ ଭାଙ୍ଗଡା କରିଥିଲେ । ତେବେ ଭାରତ ଇଂଲଣ୍ଡ ମଧ୍ୟରେ ଏହି ଅନ୍ତିମ ଟେଷ୍ଟ ଜାରି ରହିଥିବା ବେଳେ ପ୍ରଥମ ଦିନରେ ହିଁ ଇଂଲଣ୍ଡ ୧୯୮ ରନରେ ନିଜର ୭ଟି ଓି୍ୱକେଟ୍ ହରାଇସାରିଛି ।