ପଛୁଆ ଜିଲ୍ଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ ନହେବା ନିଷ୍ପତ୍ତିର ପୁନର୍ବିଚାର ପାଇଁ ଅନୁରୋଧ

36

କନକ ବ୍ୟୁରୋ : ପଛୁଆ ଜିଲ୍ଲାକୁ ନେଇ ରାଜନୀତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ପଛୁଆ ୮ଟି ଜିଲ୍ଲାକୁ ଆକାଂକ୍ଷୀ ଯୋଜନାରେ ସାମିଲ କରିବା ପ୍ରସଙ୍ଗରେ ଏହି ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ର ସରକାର ଚୟନ କରିଥିବା ୮ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ ନକରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତିର ପୁନର୍ବିଚାର କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ସେ ଲେଖିଛନ୍ତିି ବିକାଶରେ ରାଜନୈତିକ ମତଭେଦ ବାଧକ ନହେଉ । ବିକାଶ ପାଇଁ ଆକାଂକ୍ଷୀ ଯୋଜନା ନାଁରେ କେନ୍ଦ୍ର ସରକାର ଦେଶର ପଛୁଆ ୧୧୫ଟି ଜିଲ୍ଲାକୁ ଚୟନ କରିଥିଲେ ।

ସେଥିରେ ଓଡିଶାର ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଢ଼େଙ୍କାନାଳ,ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରିକୁ ସ୍ଥାନ ମିଳିଥିଲା । ଚଳିତ ମାସ ୪ ଓ ୫ତାରିଖରେ ଏହି ଜିଲ୍ଲା ମାନଙ୍କର ଉନ୍ନତି ନେଇ ଭାରତ ସରକାର ଏକ କର୍ମଶାଳା ଆୟୋଜନ କରିଥିଲେ । ଏଥିରେ ଚୟନ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବା ପାଇଁ କେନ୍ଦ୍ର ସରକାର ନିମନ୍ତ୍ରଣ କରିଥିଲେ । କିନ୍ତୁ ଏହି କର୍ମଶାଳାକୁ ବର୍ଜନ କରିଥିଲେ ଓଡିଶା ସରକାର । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଆଲୋଚନା ନକରି ଏହି ତାଲିକା କରିଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲା ଶାସକ ଦଳ ।

ଓଡିଶାର ଏହି ୮ଟି ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି ମୋଦି ସରକାର । ଓଡିଶା ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଚିଠିରେ କୁହାଯାଇଛି, ମୋଦିଙ୍କ ନ୍ୟୁ ଇଣ୍ଡିଆ-୨୦୨୨ ପାଇଁ ୧୧୫ ଟି ପଛୁଆ ଜିଲ୍ଲାକୁ ବଛାଯାଇଛି । ଯେଉଁଥିରେ ଓଡିଶାର ରହିଛି ୮ଟି ଜିଲ୍ଲା । ଦାରିଦ୍ର୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତିଭୂମି କ୍ଷେତ୍ରରେ ପଛରେ ଥିବା ଓ ମାଓବାଦୀ ଅଧ୍ୟୁଷିତ ଜିଲ୍ଲାକୁ ନେଇ ତିଆରି ହୋଇଛି ଏହି ତାଲିକା ।
ଓଡିଶାର ୮ଟି ଜିଲ୍ଲାର ବିକାଶ କରିବା ପାଇଁ ମୋଦି ସରକାରଙ୍କ ଏହି ଯୋଜନାକୁ କିନ୍ତୁ ରାଜ୍ୟ ଶାସକ ଦଳର ନେତାମାନେ ସହଜରେ ଗ୍ରହଣ କରିପାରିନଥିଲେ । ବିଜେଡି କହିଥିଲା, ଏସବୁ ପ୍ରଚାର ଛାଡି ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ଚେଷ୍ଟା କରନ୍ତୁ ମୋଦି ।