ପଲିଟିକାଲ ଚିଠି ! ଧର୍ମେନ୍ଦ୍ରଙ୍କ ଆନ୍ତରିକତା ନା ନିର୍ବାଚନ ଆଗରୁ ଷ୍ଟଣ୍ଟ

29

କନକ ବ୍ୟୁରୋ : ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଥିବାର ଅନେକ ନଜିର ରହିଛି । ଏପରିକି ଗତ ଦୁଇ ଦିନ ତଳେ ଅନୁଗୁଳକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ ମଧ୍ୟ ନବୀନଙ୍କୁ ଭେଟିବାକୁ ଆଦୌ ଭୁଲି ନଥିଲେ । ଏହି ଭେଟଘାଟ ସମୟରେ ଅନେକ କଥା ଆଲୋଚନା ହୋଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ଯେଉଁଠି ଦିଲ୍ଲୀରୁ ମନ୍ତ୍ରୀ ଆସି ନବୀନଙ୍କୁ ଭେଟି ପାରୁଛନ୍ତି ସେଠାରେ ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ କିଭଳି ନବୀନଙ୍କ ଭେଟି ପାରୁ ନାହାନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ସମୟରେ ଧର୍ମେନ୍ଦ୍ର ଚିଠି ଲେଖି ନବୀନଙ୍କୁ ସାକ୍ଷାତ କରିବାକୁ ଚାହିଁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ନବୀନଙ୍କୁ ଭେଟିବାକୁ ଧର୍ମେନ୍ଦ୍ରଙ୍କ ଆନ୍ତରିକତା ଅଛି ନା ତୁଚ୍ଛା ରାଜନୀତି କରୁଛନ୍ତି । କାରଣ ମୋଦି ସରକାରରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପୂର୍ବରୁ କେବେ ନବୀନଙ୍କୁ ସାକ୍ଷାତ କରିବା ପାଇଁ ଚିଠି ଲେଖିଥିବା ଦେଖାଯାଇନି । ଏପରିକି ଅନୁଗୁଳକୁ ବିରେନ୍ଦ୍ର ସିଂ ଆସିଥିବା ବେଳେ ଉକ୍ତ ସଭାରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । କିନ୍ତୁ ବିରେନ୍ଦ୍ର ସିଂ ଅନୁଗୁଳ ସଭା ସରିବା ପରେ ନବନୀଙ୍କୁ ଭେଟିଥିବା ବେଳେ ଧର୍ମେନ୍ଦ୍ର କଣ କରୁଥିଲେ । ସେତେବେଳେ ବିରେନ୍ଦ୍ର ସିଂ କଣ ନବୀନଙ୍କୁ ଭେଟିବା ପୂର୍ବରୁ ଚିଠି ଲେଖି ଅନୁମତି ମାଗିଥିଲେ । ଯେତେବେଳେ ଅନ୍ୟ କେନ୍ଦ୍ରମନ୍ତ୍ରୀ ବିନା ଦ୍ୱିଧାରେ ନବୀନଙ୍କୁ ଭେଟି ପାରୁଛନ୍ତି ସେତେବେଳେ ଧର୍ମେନ୍ଦ୍ରଙ୍କ ଏହି ଚିଠି ରାଜନୀତି କଣ ପାଇଁ?

CM Naveen Slams National Leaders; Says They're Misleading Peopleଓଡ଼ିଶାକୁ ବାରମ୍ବାର ଆସୁଥିଲେ ମଧ୍ୟ କାହିଁ କେବେ ତ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ନବୀନଙ୍କୁ ଭେଟିବା ପାଇଁ ଧର୍ମେନ୍ଦ୍ର ଚିଠି ଲେଖିବାର ନଜିର ନାହିଁ । କିନ୍ତୁ ଏବେ ଏହି ନୂଆ ଡ଼୍ରାମା କଣ ପାଇଁ? ଏକଥା ଏଥିପାଇଁ କୁହାଯାଉଛି କାରଣ, ଓଡିଶାର ୮ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ବଂଚିତ କରାଯାଇଥିବା ନେଇ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବା ପାଇଁ ଚାହିଁଛନ୍ତି । ରାଜ୍ୟର ବିଭିନ୍ନ ବିକାଶ ପ୍ରସଙ୍ଗରେ କଥା ହେବା ପାଇଁ ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗ ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାଗିବା ଓ ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶାର ୮ଲକ୍ଷ ଲୋକଙ୍କୁ ବଂଚିତ କରାଯାଇଛି ବୋଲି ଅଭିଯୋଗ କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ମନ୍ତ୍ରାଳୟର ଲେଟର ପ୍ୟାଡରେ ଚିଠି ଲେଖି ଧର୍ମେନ୍ଦ୍ର ୩-୪ଟି ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଚିଠିରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏବଂ ତାଙ୍କ ସହ ରାଜ୍ୟର ବିଭିନ୍ନ ବିକାଶ ପ୍ରସଙ୍ଗରେ କଥା ହେବାକୁ ଚାହୁଁଛନ୍ତି ବୋଲି ଲେଖିଛନ୍ତି । ଏଥିସହ ରାଜ୍ୟର ମୁଖ୍ୟ ଶାସନ ସଚିବ ତାଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଥିଲେ ବି ମୁଖ୍ୟମନ୍ତ୍ରୀ ଅନୁମତି ଦେଉନାହାନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଓଡିଶାରୁ ଆରବ ଭଳି ଦେଶକୁ ଖାଦ୍ୟ ଓ ସାମୁଦ୍ରିକ ରପ୍ତାନୀ ବଢାଇବାର ଅନେକ ସୁଯୋଗ ରହିଛି ବୋଲି ଧର୍ମେ୍ନନ୍ଦ୍ର ଉଲ୍ଲେଖ କରିଛନ୍ତି । ସାକ୍ଷାତ ମିଳିଲେ ଏସବୁ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଚିଠିରେ ଲେଖିଛନ୍ତି ।  ଚିଠିରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ବିଜେଡିର ନେତାମାନେ ତାଙ୍କୁ ଡାକପିଅନ ଓ ବିହାରୀ ଭଳି ଅପମାନସୂଚକ ଶବ୍ଦ ବ୍ୟବହାର କରୁଛନ୍ତି । ଏଥିରେ ସେମାନେ କି ପ୍ରକାର ମାନସିକ ଶାନ୍ତି ପାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ଚିଠିରେ ଧର୍ମେନ୍ଦ୍ର ଏସବୁ ଶବ୍ଦକୁ ସହିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଲେଖିଛନ୍ତି ।