ରାଜନୀତିରେ ସିବିଆଇ ସମନ ବନାମ ଓଡିଶା ପୋଲିସ ସମନ ! ଦିଲ୍ଲୀରୁ ଧର୍ମେନ୍ଦ୍ରଙ୍କ ତୀର, ଭୁବନେଶ୍ୱରରେ ପ୍ରତାପ ଜେନାଙ୍କ କାଉଣ୍ଟର ।

220

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ରାଜ୍ୟ ରାଜନୀତି । ଗୋଟିଏ ପରେ ବିଜେଡି ବିରୋଧରେ ଚିଟଫଣ୍ଡ ଅଭିଯୋଗର ସିବିଆଇ ତଦନ୍ତ ଚାଲିଥିବା ବେଳେ ଦିଲ୍ଲୀରୁ ତୀର ମାରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଉ ଏପଟେ କେନ୍ଦ୍ରମନ୍ତ୍ରୀଙ୍କୁ କାଉଣ୍ଟର କରିଛନ୍ତି ପ୍ରତାପ ଜେନା । ଆରୋପ ପ୍ରତ୍ୟରୋପର ଏହି ରାଜନୀତିରେ ରୋଚକ ସ୍ଥିତିରେ ପହଞ୍ଚିଛି ୨୦୧୯ ନିର୍ବାଚନ ।

ବିଜେପି ବିରୋଧରେ ବିଜେଡି ଆଣିଥିବା ଅଭିଯୋଗର ଆଜି କଡା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରାଜ୍ୟ ପୋଲିସ ଯାହାକୁ ବି ଡାକିଲେ ବିଜେପିର କୌଣସି ଆପତ୍ତି ନାହିଁ । ଆଇନର ଉଦ୍ଧ୍ୱର୍ରେ କେହି ନୁହନ୍ତି । ବର୍ଷେ କି ଦୁଇ ବର୍ଷ ପରେ ମିଛ କେସ ଲଦି, ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନାଲିଆଖି ଦେଖାଇ ତାଙ୍କୁ ବାନ୍ଧିବାର ବିଜେଡି ଦୁଃସାହସ କରୁଥିବା ସେ କହିଛନ୍ତି । କିନ୍ତୁ ୨୦ ଲକ୍ଷ ଜମାକାରୀଙ୍କ ଟଙ୍କାକୁ ଯେଉଁମାନେ ଲୁଟ୍ କରିଛନ୍ତି, ଯେଉଁମାନେ ଏହି କୁକର୍ମରେ ସଂଶ୍ଳିଷ୍ଟ ଅଛନ୍ତି, ସିଏ ଯେତେବଡ ପ୍ରଭାବଶାଳୀ ଏମପି କିମ୍ବା ମନ୍ତ୍ରୀ ହୁଅନ୍ତୁ ସେମାନେ ଦଣ୍ଡ ପାଇବେ ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଚିଟଫଣ୍ଡ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀଙ୍କର ବକ୍ତବ୍ୟ ନିତ୍ୟାନ୍ତ ହାସ୍ୟାସ୍ପଦ ଏବଂ ନିଜର ବୌଦ୍ଧିକ ସ୍ତରରେ ଦେବାଳିଆ ପଣକୁ ପ୍ରତିପାଦିତ କରୁଛି ବୋଲି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି । ସେ କହିଛନ୍ତି, ରାଜ୍ୟ ପୋଲିସ ତାଙ୍କ କାର୍ଯ୍ୟ ସୂଚାରୁରୂପେ କରୁଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ରଖନ୍ତୁ ଯେ, ଛତ୍ରପୁର ବିଜେଡି କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାରୀଙ୍କ ପାଇଁ କିଏ ଉତ୍ତରାଖଣ୍ଡ ଗେଷ୍ଟ ହାଉସରେ ରୁମ୍ ବୁକ୍ କରିଥିଲା ? କେଉଁ ବ୍ୟକ୍ତି ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡର ପ୍ରଚ୍ଛଦପଟରେ ରହି ହତ୍ୟାକାରୀମାନଙ୍କୁ ପ୍ରୋତ୍ସାହନ ଏବଂ ପୃଷ୍ଠପୋଷକତା ଯୋଗାଇଥିଲା ଏବଂ ଉତ୍ତରୀୟ ପିନ୍ଧାଇ ଗଞ୍ଜାମର ମିଶ୍ରଣ ପର୍ବରେ ବିଜେପିରେ ସାମିଲ କରାଇଥିଲା । ତେବେ କେନ୍ଦ୍ରମନ୍ତ୍ରୀଙ୍କୁ ଏନେଇ ଜବାବ ରଖିବାକୁ କହିଛନ୍ତି ପ୍ରତାପ ଜେନା । ତେବେ ପୂର୍ବରୁ ମଧ୍ୟ କୋଷ୍ଟାଲ ହାଇୱେ ମାମଲା ଏବଂ ଉଜ୍ଜଳା ଯୋଜନା ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ତେବେ ଆଗକୁ ୨୦୧୯ ନିର୍ବାଚନ ଆସୁଥିବା ବେଳେ ଦୁଇ ନେତାଙ୍କ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି ।