ମୋଦି ସରକାରଙ୍କ ହିସାବ କିତାବକୁ ନେଇ ବାକଯୁଦ୍ଧ : ଧର୍ମେନ୍ଦ୍ର କହିଲେ, ଚା ପାର୍ଟିକୁ ଆସ ତଥ୍ୟ ସହ ବୁଝାଇଦେବି, କେନ୍ଦ୍ରମନ୍ତ୍ରୀଙ୍କୁ ଖୋଲା ବିତର୍କ ପାଇଁ ବିଜେଡିର ଆହ୍ୱାନ

30

କନକ ବ୍ୟୁରୋ : ବିକାଶକୁ ନେଇ ବାକ ଯୁଦ୍ଧ । ଧର୍ମେନ୍ଦ୍ର ବନାମ ବିଜେଡି । ଓଡିଶା ପାଇଁ କାହାର କେତେ ଦରଦ? କେନ୍ଦ୍ର ସରକାର ଓଡିଶା ପାଇଁ କଣ କରିଛନ୍ତି ସେନେଇ ଦୁଇ ଦିନ ତଳେ ହିସାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଆଉ ସେହି ହିସାବ ନିକାଶକୁ ନେଇ ବଢିଲା ରାଜନୀତି । ଗତକାଲି ବିଜେଡି ଧର୍ମେନ୍ଦ୍ରଙ୍କ ବିକାଶ ଏଜେଣ୍ଡାର ଜବାବରେ କେନ୍ଦ୍ର ଅବହେଳା ସହ ୦୫ଟି ପ୍ରଶ୍ନ କରିଥିଲା । ଆଉ ଆଜି କେନ୍ଦ୍ରମନ୍ତ୍ରୀ ତାର ଜବାବ ରଖିଛନ୍ତି । କହିଛନ୍ତି, ବିଜେଡି କଥାରେ ତାଳମେଳ ନାହିଁ । ତୃତୀୟ ମହଲାର ଅନୁମତି ନେଇ ବିଜେଡି ନେତା ତାଙ୍କ ପାଖକୁ ଆସନ୍ତୁ ସେ ତାଙ୍କୁ ବୁଝାଇବେ ଆଉ ଚା ପିଆଇବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଧର୍ମେନ୍ଦ୍ରଙ୍କର ଏହି ବୟାନ ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ ।

ଧର୍ମେନ୍ଦ୍ରଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛନ୍ତି ପ୍ରତାପ । ଏମିତିକି ଆଉ ପାଦେ ଆଗକୁ ଯାଇ କହିଛନ୍ତି କେନ୍ଦ୍ର ସଚିବ ମାନଙ୍କ ନିକଟରେ ବି ସବୁ ହିସାବ ଅଛି,ତାକୁ ବିଚାର କରନ୍ତୁ କେନ୍ଦ୍ରମନ୍ତ୍ରୀ । ଆଗକୁ ସାଧାରଣ ନିର୍ବାଚନ । ଏହାରି ଭିତରେ ଓଡିଶା ମାଟିରୁ ଚାରି ବର୍ଷ ଶାସନର ସଫଳତା ବଖାଣିଥିଲେ ନରେନ୍ଦ୍ର ମୋଦି । ଆଉ ଏହା ପରେ ପରେ ଓଡିଶା ପାଇଁ କଣ କରିଛନ୍ତି କେନ୍ଦ୍ର ସରକାର ସେନେଇ ସଫଳତା ବଖାଣିବାକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏହାପରେ ପରେ କେନ୍ଦ୍ର ଅବହେଳାର ନାରା ଦେଉଥିବା ବିଜେଡି ନିଜ ଆଭିମୁଖ୍ୟକୁ ଆହୁରି ଶାଣିତ କରିଛି । କାହିଁକି ନା ଚାରି ବର୍ଷ ଶାସନର ସଫଳତାକୁ ନେଇ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ୧୭ ବର୍ଷର ଲୋକପ୍ରିୟତା ଓ ସରକାରୀ ସଫଳତାକୁ ନେଇ ଆଗାମୀ ନିର୍ବାଚନ ପାରି କରିବାକୁ ଚେଷ୍ଟା କରୁଛି ଟିମ ନବୀନ ।