ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସତ କହୁଛନ୍ତି କି ସରକାର ? ଦିଲ୍ଲୀରୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ
ଯେଉଁଠି ବର୍ଷକ ମଧ୍ୟରେ ଏକ କୋଟି ଲୋକ ହସ୍ପିଟାଲ ଯାଉନାହାନ୍ତି ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଦୁଇ ମାସ ମଧ୍ୟରେ କଣ ଯାଦୁ କରି ସରକାର ଏକ କୋଟିରୁ ଅଧିକ ଲୋକଙ୍କ ପାଖରେ ଚିକିତ୍ସା ସୁବିଧା ପହଞ୍ଚାଇଲେ
କନକ ବ୍ୟୁରୋ : ଓଡିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ନବୀନ ସରକାର ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ଦିନ ପୂର୍ବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହୋଇଥିବା ରୋଗୀଙ୍କ ତଥ୍ୟ ରାଜ୍ୟ ସରକାର ଦେବା ପରେ ଧର୍ମେନ୍ଦ୍ର ଦିଲ୍ଲୀରୁ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତା ବଖାଣିବାକୁ ଯାଇ ରାଜ୍ୟ ସରକାର କହିଥିଲେ, ଏହି ଯୋଜନାରେ ପାଖାପାଖି ୧ କୋଟି ୧୦ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଯାହାକୁ ମିଛୁଆ ରାଧୁଆ ଉପାଖ୍ୟାନ ସହ ତୁଳନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେ ପ୍ରଶ୍ନ କରିଛନ୍ତି, ସରକାରୀ ରିପୋର୍ଟ ଅନୁଯାୟୀ, ଯେଉଁଠି ଗୋଟିଏ ବର୍ଷ ମଧ୍ୟରେ ଏକ କୋଟି ଲୋକ ମଧ୍ୟ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇନଥିବାର ତଥ୍ୟ ରହିଛି । ସେଠାରେ ଦୁଇ ମାସ ମଧ୍ୟରେ କଣ ଯାଦୁ କରି ସରକାର ଏକ କୋଟି ଲୋକଙ୍କ ପାଖରେ ଚିକିତ୍ସା ପହଞ୍ଚାଇ ଦେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି । ମାତ୍ର ଅଳ୍ପଦିନରେ ଏତେ ଲୋକଙ୍କ ଚିକିତ୍ସିତ ହେବା ଦାବିର ଯଥାର୍ଥତା କଣ । ଯଦି ସାମାନ୍ୟ ସ୍ୱାସ୍ଥ୍ୟସେବା ମୁଣ୍ଡବିନ୍ଧା, ପେଟବିନ୍ଧି, ଥଣ୍ଡା କାଶ, ଜ୍ୱରକୁ ଚିକିତ୍ସା ବୋଲି ଗଣିବେ ତାହା ହେଲେ ସେ ନାଚାର । ଏହାକୁ ଯଦି ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରାଯାଇଛି ବୋଲି ଦାବି କରୁଛନ୍ତି ତାହାହେଲେ ଓଡିଶା ଲୋକଙ୍କୁ ରାଜ୍ୟ ସରକାର ଠକୁଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ ଆଣିଛନ୍ତି ।
ଏହାଛଡା ଆୟୁଷ୍ମାନ ଯୋଜନାରେ ଭୋଟ ମିଳିବନି ବୋଲି ଏହାକୁ ରାଜ୍ୟ ସରକାର ଗ୍ରହଣ କରୁନାହାନ୍ତି ବୋଲି ସେ କହିଛନ୍ତି । ଯଦି ଏହାକୁ ଗ୍ରହଣ କରିବେ କାଳେ ମୋଦିଙ୍କ ବିଶ୍ୱସନୀୟତା ରାଜ୍ୟବାସୀଙ୍କ ଆଗରେ ଅଧିକ ବଢିଯିବ ସେଥିପାଇଁ ସରକାର ଏହାକୁ ଗ୍ରହଣ କରୁଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାରଙ୍କ ଜିଦ୍ ପାଇଁ ଲୋକେ ଆୟୁଷ୍ମାନ ଭଳି ଯୋଜନାରୁ ଓଡିଶାବାସୀ ବଞ୍ଚି ହେଉଛନ୍ତି ।
ଏହାର ଜବାବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରାଜ୍ୟ ବାହାରେ ରହୁଥିବା ଓଡିଆ ବାହାର ରାଜ୍ୟରେ ଯେମିତି ଚିକିତ୍ସା ସୁବିଧା ପାଇପାରିବେ ସେଥିପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । ଏପରିକି ରାଜ୍ୟରୁ ଯଦି କେହି ରୋଗୀ ବାହାରେ ଚିକିତ୍ସିତ ହେବାକୁ ଯାଉଛନ୍ତି ତେବେ ସେଥିପାଇଁ ମଧ୍ୟ ସରକାର ଯାତ୍ରା ଖର୍ଚ୍ଚ ଦେବେ ବୋଲି ବ୍ୟବସ୍ଥା କରିଛନ୍ତି ।