ଅଫିସରଙ୍କୁ ଇସାରା, ରାଜ୍ୟ ସରକାରଙ୍କୁ ଟାର୍ଗେଟ! ବିହାରୀ ମନ୍ତ୍ରୀ ଆରୋପର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

23

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିହାରୀ ଥିଓରୀ । ବିହାରରୁ ପ୍ରଥମେ ରାଜ୍ୟସଭାକୁ ଯାଇ ମନ୍ତ୍ରୀପଦ ପାଇବାପରେ ବିରୋଧୀଙ୍କ ଦ୍ୱାରା ବିଭିନ୍ନ ସମୟରେ ବିହାରୀ ବୋଲି ଶରବ୍ୟର ଶୀକାର ହେବା ପରେ ଧର୍ମେନ୍ଦ୍ର ଆଜି ରଖିଛନ୍ତିି ଏହାର ଜବାବ । ଏହାସହ ପୁଣି ଥରେ ରାଜ୍ୟ ଅଫିସରଙ୍କୁ ମୋହରା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ଦିନ ପୂର୍ବରୁ ନ୍ୟାସନାଲ ଡାଟା ସେଂଟର ଉଦଘାଟନୀ କାର୍ଯ୍ୟକ୍ରମରେ ଆଇଏଏସ ଅଫିସର ଅଶୋକ ମୀନା ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ଥିବା ବେଳେ ଏଥର ମାଧ୍ୟମ ଥିଲେ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଏଲ୍.ଏନ୍. ଗୁପ୍ତା ।

dharmendra pradhan୧୯୧୧ରୁ ୨୦୧୧ । ଶତାବ୍ଦୀ ଉତ୍ସବ ବିହାର ପାଳନ କରୁଥିବା ବେଳେ ସେହି ସମୟରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର । ଆଉ ସେହି ସମୟରେ ବିହାରର ମୁଖ୍ୟମନ୍ତ୍ରୀ କହିଥିଲେ, ଶତାବ୍ଦୀ ଉତ୍ସବ ଅବସରରେ ପୁରୁଣା ବିହାରରୁ ଜଣକୁ ରାଜ୍ୟସଭାକୁ ପଠାଯିବ । ତେବେ ୧୯୩୫ରେ ଭାଷା ଆଧାରରେ ଓଡିଶା ରାଜ୍ୟ ଗଠନ ହୋଇଥିଲେ ମଧ୍ୟ ପୁରୁଣା ବିହାରର ପୁଅ ହିସାବରେ ତାଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା ବୋଲି କହିଛନ୍ତି । ଆଉ ଏହାସହ ଓଡିଶା-ବିହାରର ସର୍ମ୍ପକର ନୂଆ ପରିଭାଷା ଶିଖାଇଛନ୍ତି ଧର୍ମେନ୍ଦ୍ର । ବିରୋଧୀଙ୍କଠାରୁ ବିଭିନ୍ନ ସମୟରେ ବିହାରୀ ମନ୍ତ୍ରୀ ବୋଲି ଆକ୍ଷେପ ଶୁଣିବା ପରେ ଏହା ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତି । ଭୁବନେଶ୍ୱରରେ ନ୍ୟାସନାଲ ଏସସି-ଏସଟି ହବ ଉଦଘାଟନୀ ଉତ୍ସବରେ ଓଡିଶା ଓ ବିହାର ସମ୍ପର୍କକୁ ନେଇ ରଖିଛନ୍ତି କିଛି ଏମିତି ତଥ୍ୟ । ଆଉ ଧର୍ମେନ୍ଦ୍ରଙ୍କୁ ମଧ୍ୟ ସମର୍ଥନ କରିଛନ୍ତିି ବିହାରରୁ ଲୋକସଭା ଯାଇ ମୋଦି ସରକାରରେ ମନ୍ତ୍ରୀ ହୋଇଥିବା ଗିରିରାଜ ସିଂହ ।

ରାଜ୍ୟରେ ନିଯୁକ୍ତି ସୁଯୋଗ ଓ କ୍ଷୁଦ୍ରଶିଳ୍ପକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ଆଉ ଏଥିପାଇଁ ପୁଣି ଥରେ ମାଧ୍ୟମ କରିଛନ୍ତି ମଂଚରେ ଉପସ୍ଥିତ ଥିବା ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ ଅଧିକାରୀ ଏଲ ଏନ ଗୁପ୍ତାଙ୍କୁ ।ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ କିଛି ଦିନ ପୂର୍ବରୁ ବରିଷ୍ଠ ଆଇଏଏସ କ୍ୟାଡର ଅଶୋକ ମୀନାଙ୍କୁ ମାଧ୍ୟମ କରିଥିଲେ ଧର୍ମେନ୍ଦ୍ର । ଯେତେବେଳେ ରାଜ୍ୟ ଆଇଏଏସ ସଂଘ ପ୍ରତିକ୍ରିୟାଶୀଳ ହୋଇ ମୁଖ୍ୟମନ୍ତ୍ରୀଙ୍କ ପାଖେ ଫେରାଦ ହୋଇଥିଲା । ତେଣୁ ପୁଣି ଥରେ ଧର୍ମେନ୍ଦ୍ରଙ୍କ ଆକ୍ରମଣ ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।