ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ ଭାୟା ‘ଅଫିସର’ ! ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଉପସ୍ଥିତିରେ ମାରିଲେ ତୀର, ମାଝୀଙ୍କ ଉପସ୍ଥିତିରେ ମିନାଙ୍କୁ କଲେ ଇସାରା

44

କନକ ବ୍ୟୁରୋ : କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ସଚିବଙ୍କ ମାଧ୍ୟମରେ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଥିଲା ରାଜ୍ୟ ଆଇଏଏସ ସଂଘ । ଧର୍ମେନ୍ଦ୍ର ଜାଣିଶୁଣି ଅଫିସରଙ୍କୁ ଅପମାନିତ କରୁଛନ୍ତି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ମଧ୍ୟ ଦେଇଥିଲେ । ଆଜି ପୁଣି ଥରେ ଅଫିସରଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । କିନ୍ତୁ ଏଥର ସମାଲୋଚନାର ଶୈଳୀ ଥିଲା ଭିନ୍ନ ।

ସମାଲୋଚନାର ନୂଆ ତରିକା ବାହାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଉପସ୍ଥିତିରେ ମାରିଥିଲେ ତୀକ୍ଷ୍ଣ ତୀର ହେଲେ ମାଧ୍ୟମ ଥିଲା ଅଲଗା । ସମାଲୋଚନା କରିବା ପୂର୍ବରୁ ଧର୍ମେନ୍ଦ୍ର ପ୍ରଥମେ କ୍ଷମା ମାଗିଥିଲେ । ଆଉ ତା ପରେ ରାଜ୍ୟ ସରକାରଙ୍କୁ ଘେରିଥିଲେ । କାରଣ ପୂର୍ବରୁ ମଧ୍ୟ ଆଇଏଏସ ମାନଙ୍କୁ ସମାଲୋଚନା କରି ଅଡ଼ୁଆରେ ପଡିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହା ଓଡିଶାରେ ରାଜନୈତିକ ଝଡ ସୃଷ୍ଟି କରିଥିଲା ।

ଭୁବନେଶ୍ୱରରେ ଜାତୀୟ ସୂଚନା କେନ୍ଦ୍ରର ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟରେ ଥିଲେ ରାଜ୍ୟ ସରକାର । ମାଧ୍ୟମ ଥିଲେ ଉତ୍ସବରେ ଉପସ୍ଥିତ ଥିବା ସଚିବ ଅଶୋକ ମୀନା । ହେଲେ ସମାଲୋଚନାକୁ ସହଜରେ ହଜମ କରିନଥିଲା ଆଇଏଏସ ସଂଘ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଂଘ ଫେରାଦ ହୋଇଥିଲା । ତେଣୁ ଏଥର ଆଉ ପୁରୁଣା ଫର୍ମୂଲା ଆପଣାଇ ନଥିଲେ ଧର୍ମେନ୍ଦ୍ର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାର ନୂଆ ଫର୍ମୁଲାକୁ ଧରି ଆଗକୁ ବଢୁଛନ୍ତି କେନ୍ଦ୍ରମନ୍ତ୍ରୀ ।ସମାଲୋଚନା କଲେ, କିନ୍ତୁ ଆଗରୁ କ୍ଷମା ପ୍ରାର୍ଥନା କରିଦେଲେ କେନ୍ଦ୍ରମନ୍ତ୍ରୀ । ଏହା ସହିତ ମଂଚରେ ଉପସ୍ଥିତ ମମସ୍ତ ଅତିଥିଙ୍କୁ ମଧ୍ୟ ପ୍ରଥମରୁ କ୍ଷମା ମାଗିଦେଲେ । ଧର୍ମେନ୍ଦ୍ରଙ୍କ ଏହି ଫର୍ମୁଲା ବେଶ ଚର୍ଚ୍ଚା ମଧ୍ୟ ସୃଷ୍ଟି କରିଛି ।