ସ୍ୱାସ୍ଥ୍ୟକୁ ନେଇ ଲଢେଇ । ନବୀନ କହିଲେ, ଆମ ଯୋଜନା ଭଲ । ଧର୍ମେନ୍ଦ୍ର କହିଲେ, ଓଡିଶାବାସୀଙ୍କୁ କାହିଁକି ଦିନରେ ଲଣ୍ଠନ ଦେଖାଉଛ

ନବୀନ କହିଲେ,କାର୍ଡ ଦେଖି ଆସେନାହିଁ ରୋଗ, ଧର୍ମେନ୍ଦ୍ର କହିଲେ ଉତ୍ତର ଦିଅ, ଲଣ୍ଠନ ଦେଖାଅ ନାହିଁ 

76

କନକ ବ୍ୟୁରୋ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସପକ୍ଷରେ ବଡ ଯୁକ୍ତି ବାଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୁଷ୍ମାନ ଯୋଜନାକୁ ପରୋକ୍ଷରେ ଇସାରା କରି ନବୀନ କହିଛନ୍ତି ବିପିଏଲ କିମ୍ବା ଏପିଏଲ କାର୍ଡ ଦେଖି କାହାକୁ ରୋଗ ହୁଏ ନାହିଁ । ଆଜି ବିଜେଡି ପଦଯାତ୍ରାରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେ ସବୁବର୍ଗଙ୍କୁ ଫାଇଦା ମିଳିବ  । ନବୀନଙ୍କ ଏଭଳି ମନ୍ତବ୍ୟର କଡା ସମାଲୋଚନା କରିଛନ୍ତି ବିରୋଧୀ । ଟୁଇଟ୍ କରି ଏହାକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟବାସୀଙ୍କ ପାଇଁ କେଉଁ ଯୋଜନା ଭଲ ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନା ଆୟୁଷ୍ମାନ ? ଏବେ ଏହାକୁ ଆରମ୍ଭ ହୋଇଯାଇଛି ବିତର୍କ ଆଉ ରାଜନୀତି । ଆଜି ଭୁବନେଶ୍ୱରରେ ଆୟୋଜିତ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ କହିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଐତିହାସିକ ପଦକ୍ଷେପ । ଭଭୟ ବିପିଏଲ ଏବଂ ଏପିଲ କାର୍ଡଧାରୀ ଏହି ଯୋଜନାର ସୁଫଳ ପାଇପାରିବେ । କିନ୍ତୁ କେନ୍ଦ୍ରର ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ କାର୍ଡଧାରୀ ଲାଭ ଉଠାଇପାରିବେ । ଏଥିସହ ରାଜ୍ୟ ବାହାରେ ରହୁଥିବା ଓଡିଆ ମଧ୍ୟ କେନ୍ଦ୍ର ଅପେକ୍ଷା ରାଜ୍ୟ ସରକାରଙ୍କ ଯୋଜନାରେ ଅଧିକ ସୁବିଧା ପାଇପାରିବେ । ତେଣୁ ସମସ୍ତଙ୍କୁ ସୁବିଧା ମିଳୁଥିବାରୁ ଆୟୁଷ୍ମାନ ତୁଳନାରେ ବିଜୁ ସ୍ୱାôସ୍ଥ୍ୟ କଲ୍ୟାଣ ଯୋଜନା ବହୁତ ଭଲ ।

ଅନ୍ୟପକ୍ଷରେ ନବୀନଙ୍କ ଏପରି ବୟାନକୁ କଡା ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ । ରାଜ୍ୟ ସରକାର ନାଟକ କରୁଛନ୍ତି ବୋଲି କହିଛି ବିଜେପି । ମୁଖ୍ୟମନ୍ତ୍ରୀ ମୁଳ ପ୍ରଶ୍ନର ଉତର ନଦେଇ କାହିଁକି ଓଡିଆ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ଟୁଇଟ କରି ଆକ୍ଷେପ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆୟୁଷ୍ମାନ ଭାରତ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଭଲ କହି ନିଜେ ରାଧୁଆ ମିଛୁଆ ନୁହଁନ୍ତି ବୋଲି କହିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ ଉଠାଇଛନ୍ତି  ଧର୍ମେନ୍ଦ୍ର । ସେପଟେ ପିସିସି ସଭାପତି କହିଛନ୍ତି ଉଭୟ ଦଳ ରାଜନୀତି କରୁଛନ୍ତି ।

ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏବେ ସୁଦ୍ଧା ଏହି ଯୋଜନାରେ କୋଟିଏରୁ ଅଧିକ ଲୋକ ଉପକୃତ ହୋଇଥିବା ନେଇ ରାଜ୍ୟ ସରକାର ଦାବି କରିଥିଲେ । ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ରାଜନୈତିକ ବୟାନବାଜି । ନବୀନଙ୍କୁ ବିଜେପି ବାରମ୍ବାର ସମାଲୋଚନା କରିଥିବା ବେଳେ କଂଗ୍ରେସ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛି ।