ସୋସିଆଲ ମିଡିଆରେ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର!

22

କନକ ବ୍ୟୁରୋ : ନବୀନଙ୍କ ଅଭିଯୋଗର ପାଲଟା ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର । ପୂର୍ବରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶାର ୪୨ ପ୍ରତିଶତ ପରିବାର ସାମିଲ ଥିବା ବେଳେ ଏବେ ୮୬ ଲକ୍ଷ ପରିବାର ସାମିଲ ହୋଇଛନ୍ତି । ରେଳ ବଜେଟ୍ରେ ଓଡିଶାକୁ ଅନୁଦାନ ପରିମାଣ, ରାଜପଥ ନିର୍ମାଣ ପାଇଁ ବ୍ୟୟ ମଂଜୁରୀ, ଏଲପିଜି ଗ୍ରାହକ ସଂଖ୍ୟାରେ ବୃଦ୍ଧି ଇତ୍ୟାଦିର ଉଦାହରଣ ଦେଇ ଏସବୁ ବିକାଶର ମିଛ ଛବି କି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ମୋଦି ସରକାର ଓଡିଶାକୁ ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା କରିଥିବା ବେଳେ ନିଜ ସରକାରର ସ୍ଥାଣୁତା ଓ ଅପାରଗତା ଲୁଚାଇବାକୁ ନବୀନ ବାବୁ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି ବୋଲି ନିଜ ଫେସବୁକରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗତକାଲି ନବୀନ ପଦଯାତ୍ରାରେ ନାଁ ନ ନେଇ ଏକ ଜାତୀୟ ଦଳ ଓ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ । କିଛିଦିନ ପୂର୍ବେ ବିଜେପିର ରାଜ୍ୟ କାର୍ୟ୍ୟକାରିଣୀରେ ବିଜେଡି ଓ ନବୀନଙ୍କୁ କଡା ଶଦ୍ଦରେ ଟାର୍ଗେଟ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଠିକ ୫ ଦିନ ପରେ ବିଜେଡିର ପଦଯାତ୍ରା ବେଳେ ଏହାର ଉତର ରଖିଛନ୍ତି ନବୀନ ।
ବିଜେଡି ପଦଯାତ୍ରାରେ ଆଜି ବିଜେପିକୁ ଟର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସାଲିଆ ସାହିରେ ଆୟୋଜିତ ପଦଯାତ୍ରାରେ ସେ କହିଛନ୍ତି , ଓଡିଶା ବିକାଶ ମଡେଲକୁ ସାରା ଦେଶରେ ପ୍ରଶଂସା କରାଯାଉଛି । କିନ୍ତୁ ଜାତୀୟ ଦଳଗୁଡିକ ଓଡିଶାକୁ ବାରମ୍ବାର ନିରାଶ କରୁଛନ୍ତି । ବିଜେପିର ନାଁ ନ ନେଇ ସେ କହିଛନ୍ତି , ସଂଘୀୟ ବ୍ୟବସ୍ଥାକୁ କିଛି ଦଳ ନଷ୍ଟ କରି ନିଜ ସ୍ୱାର୍ଥ ପାଇଁ କାମ କରୁଛନ୍ତି । ବିକାଶ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଓଡିଶା ଲୋକ ସେମାନଙ୍କୁ କେବେ ବି ଗ୍ରହଣ କରିବେ ନାହିଁ । ଧର୍ମେନ୍ଦ୍ର କହିଥିଲେ ନବୀନଙ୍କ ଅହଂକାର ଓ ଅସହିଷ୍ଣୁତା ବଢିଯାଇଛି । ଜବାବରେ ନବୀନ କହିଛନ୍ତି ବିକାଶର ରୋଲ ମଡେଲ ପାଲଟିଛି ଓଡିଶା ।

ବିରୋଧୀଙ୍କୁ ସିଧା ଏବଂ ଶାଣିତ ଆକ୍ରମଣ କରିବାରେ ପୂର୍ବରୁ ସେତେ କଡା ଆଭିମୁଖ୍ୟ ଗ୍ରହଣ କରୁନଥିବା ନବୀନ ଏବେ କିନ୍ତୁ ସିଧା ସଳଖ ସମ୍ମୁଖ ବାକ୍ୟୁଦ୍ଧକୁ ଓହ୍ଲାଇ ଆସିଛନ୍ତି । ଫଳରେ ଏହି ଦୁଇ ତୁଙ୍ଗ ନେତା ଧର୍ମେନ୍ଦ୍ର ଓ ନବୀନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି ।