କନକ ନ୍ୟୁଜର ୧୦ବର୍ଷ ପୂର୍ତ୍ତି ଉତ୍ସବରେ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ । ଓଡ଼ିଶାରେ ବିଜେପିର ପରାଜୟ ପଛର କାହାଣୀ କହିଲେ

1,703

କନକ ବ୍ୟୁରୋ : ସମ୍ବାଦ ଓ କନକ ନ୍ୟୁଜର ଜନ୍ମଦିନ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ ବୟାନ ରଖିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ ବିଜେପି ପରାଜୟ ପଛର କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ଆଉ ଏକ ପ୍ରଶ୍ନର ଉତରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେ କାହିଁକି ନିର୍ବାଚନ ଲଢିଲେ ନାହିଁ ।

ଅବସର ଥିଲା କନକ ନ୍ୟୁଜର ଦଶବର୍ଷ ପୂର୍ତି । ଆଉ ଅତିଥି ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପିର ସର୍ବୋଚ୍ଚ ପ୍ରଭାବଶାଳୀ ନେତା କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆମେ ପଚାରିଥିଲୁ ବିଜେପି ଆଗରେ ଚ୍ୟାଲେଞ୍ଜ କଣ? ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନରେ ଗତ ନିର୍ବାଚନରେ ବିଜେଡି ସରକାରୀ କଳକୁ ଜିଲ୍ଲାସ୍ତରରେ ବ୍ୟବହାର କଲା ଓ ବିଜେପି ଏହାର ମୁକାବିଲା କରିବାରେ ବିଫଳ ହେଲା ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେବେ ମ୍ୟାଜିକ ନମ୍ବର ହାସଲ କରିନଥିଲେ ମଧ୍ୟ ଦଳର ଭୋଟହାର ବଢିଥିବା କହିଛନ୍ତି ଧର୍ମେନ୍ଦ୍ର ।

ଅନ୍ୟପଟେ ରାଜ୍ୟସଭାରୁ ସାଂସଦ ଥାଇ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ନେଇ ପ୍ରତିପକ୍ଷ ଅନେକ ସମୟରେ ପ୍ରଶ୍ନ କରିଥାନ୍ତି ଯେ, ସେ ପ୍ରତ୍ୟକ୍ଷ ନିର୍ବାଚନରେ କାହିଁକି ଅବତୀର୍ଣ୍ଣ ହେଉନାହାନ୍ତି । ଆଉ ଏହି ପ୍ରଶ୍ନର ଉତରରେ ଧର୍ମେନ୍ଦ୍ର କହିଛନ୍ତି ଦଳ ଚାହିଁଲେ ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ।

ପ୍ରତିପକ୍ଷଙ୍କୁ ସମାଲୋଚନା କରିବା ପାଇଁ ସୋସିଆଲ ମିଡିଆର ବ୍ୟବହାର ବିଜେପିକୁ ଭଲଭାବେ ଜଣେ । ଏହାର ମଧ୍ୟ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେପି ସରକାରଙ୍କୁ ସମାଲୋଚନା ପାଇଁ ସୋସିଆଲ ମିଡିଆର ବ୍ୟବହାର କରିବା ପାଇଁ ସେ ଖୋଲା ଆହ୍ୱାନ ଦେଇଛନ୍ତି ।

କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇ ଓଡିଆରେ ସମ୍ବାଦ ପଢିବାକୁ ଭଲ ପାଉଥିବା କଥା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାଛଡା କେନ୍ଦ୍ରମନ୍ତ୍ରୀଙ୍କ ଭାଷଣରେ ବି ଥିଲା ଓଡିଶାର ଶ୍ରୀଲଙ୍କା କନେକ୍ସନର କଥା । ବର୍ତମାନର ଶ୍ରୀଲଙ୍କା ରାଷ୍ଟ୍ରପତି ସିରିସେନା ମଧ୍ୟ ଓଡିଶା ସହିତ ତାଙ୍କ ଦେଶବାସୀଙ୍କର ସଂପର୍କ ରହିଛି ବୋଲି କହିଥିବା ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।