ଭଙ୍ଗାଯୋଡା ରାଜନୀତି ! ବିଜେପିରେ ମିଶିଲେ ବାମପନ୍ଥୀ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଧର୍ମେନ୍ଦ୍ରଙ୍କ ରୋଡ୍ ଶୋ’

48

କନକ ବ୍ୟୁରୋ : ବିଜେଡି ଗଡ଼ରେ ବିଜେପିର ରଣହୁଙ୍କାର । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ପରିବର୍ତନର ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଡ୍ ଶୋ ଜରିଆରେ ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କ ପାଖରେ ପହଂଚିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଛତ୍ରପୁର, ଆସିବା ଏବଂ ଭଂଜନଗରରେ ଜନସଭା କରି ବିଜେପିକୁ ମଜଭୂତ କରିବାର ପ୍ରୟାସ ଆରମ୍ଭ ହୋଇଛି ।

ବିଜେପିର ଏହି ମେଗା ଶୋ ଭିତରେ ମିଶ୍ରଣ ପର୍ବ ଗଂଜାମ ରାଜନୀତିକୁ ସରଗରମ କରିଛି । ବାମଦଳର ଟାଣୁଆ ନେତା କୃଷ୍ଣ ନାୟକଙ୍କ ସମେତ ବିଜେପିରେ ସାମିଲ ହୋଇଛନ୍ତି କଂଗ୍ରେସ ଓ ବିଜେଡିର ବହୁ କର୍ମୀ । ଛତ୍ରପୁର ନିର୍ବଚନ ମଣ୍ଡଳୀ ସହ ନିରନ୍ତର ଶଙ୍ଖର ଧ୍ୱନୀ ବାଜୁଥିବା ଗଂଜାମ ଜିଲ୍ଲାରେ ଆସନ୍ତା ନିର୍ବାଚନରେ ଗେରୁଆ ବାନା ଉଡାବାର ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଆଉ ଏହି ମିଶ୍ରଣ ପର୍ବରେ ପଛରେ ପଡ଼ିନିି ଶାସକ ବିଜେଡି । ଦୁଇ ପାଦ ଆଗକୁ ଯାଇ ବିଜେପିର ଅଭିନ୍ନ ଅଙ୍ଗ କୁହାଯାଉଥିବା ବଜରଙ୍ଗ ଦଳର ବହୁ କର୍ମୀଙ୍କୁ ଧରି ନବୀନ ନିବାସ ପହଂଚିଥିଲେ ସୋରୋଡାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ସେମାନଙ୍କୁ ବିଜେଡିରେ ସାମିଲ କରିବା ସହ ଗଂଜାମରେ ବିଜେପି କିଛି କରିପାରିବ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ନବୀନଙ୍କ ଉପରେ ଲୋକ ବିଶ୍ୱାସ ରହିଛି ଏବଂ ରହିବ ବୋଲି ବିଜେଡି ଦାବି କରିଛି ।

୨୦୧୯ ନିର୍ବାଚନ ପୂର୍ବରୁ ଏବେ ଜୋରଦାର ଧରିିଛି ଭଙ୍ଗାଯୋଡ଼ାର କସରତ । ଉଭୟ ବିଜେପି ଓ ବିଜେଡି ନିଜ ନିଜ ଦଳରେ ତୁଙ୍ଗ ନେତାଙ୍କୁ ସାମିଲ କରି ୨୦୧୯ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ।