ଜିରୋ ସହ ଜିରୋ ମିଶିଲେ ଜିରୋ ! ନବୀନ-କେସିଆରଙ୍କ ସାକ୍ଷାତକୁ କିଛି ଏଭଳି ସମାଲୋଚନା କଲେ ଧର୍ମେନ୍ଦ୍ର ।

178

କନକ ବ୍ୟୁରୋ : ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ଯେତିକି ସରଗରମ ରହିଛି, ତାଠାରୁ ଅଧିକ ଚର୍ଚ୍ଚା ସାଉଁଟୁଛି ନେତାଙ୍କ ବୟାନବାଜି । ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ୨୦୧୯ ନିର୍ବାଚନ ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜନତା ପାର୍ଟି । ଆଉ ଏବେ ମୋଦିଙ୍କ ଫୋକସରେ ଓଡିଶା ରହିଥିବା କଥା ଜୋରଦାର ଚର୍ଚ୍ଚା ହେଉଛି ।

ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ଗସ୍ତକୁ ନେଇ ଶାନ୍ତ ପଡିଯାଇଥିବା ବିଜେପି ଶିବିର ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି । ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ତତ୍ତ୍ୱାବଧାନରେ ସବୁକିଛି ଆୟୋଜନ କରାଯାଉଥିବା ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବା ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ପ୍ରୋଟକଲ୍ ଅନୁଯାୟୀ ଯେତିକି ସମ୍ପର୍କ ରହିବା କଥା ସେତେକି ରହିବ । ସେପଟେ ଆଜି ଓଡିଶାରେ ପହଞ୍ଚିଛନ୍ତି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେସିଆର ସାକ୍ଷାତ କରିବେ । ସେପଟେ ନବୀନଙ୍କୁ କେସିଆର୍ ସାକ୍ଷାତ କରିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିରୋ ସହ ଜିରୋ ମିଶାଇଲେ ଯାହା ହେବ, ନବୀନ-କେସିଆରଙ୍କ ସାକ୍ଷାତ ସେତିକି ବୋଲି ଧର୍ମେନ୍ଦ୍ର ମନ୍ତବ୍ୟ ରଖିଛନ୍ତି । ଏଥର ବି ମୋଦିଙ୍କ ନେତ୍ୃତ୍ୱରେ ଏନଡିଏ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।