ମଧ୍ୟ ପ୍ରଦେଶର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ! ସ୍ୱାଗତ ପାଇଁ ବିଜେପିର ବ୍ୟାପକ ପ୍ରସ୍ତୁତି

42

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱିତୀୟ ଇନିଂସ । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ଓଡିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଉ ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଭୁବମେଶ୍ୱର ବିମାନବନ୍ଦରରୁ ଏକ ବିରାଟ ପଟୁଆରରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଣିବା ପାଇଁ ପ୍ରସ୍ତୁତି କରାଯାଇଛି । ହଜାର ହଜାର କର୍ମୀଙ୍କୁ ନେଇ ବିଶାଳ ପଟୁଆରରେ ଧର୍ମେନ୍ଦ୍ରଙ୍କୁ ସ୍ୱାଗତ କରିବା ପାଇଁ ଯୋଜନା କରାଯାଇଛି । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବିଜେପୁରରେ ବିଜେପିର ଶୋଚନୀୟ ପରାଜୟ ପରେ ଧର୍ମେନ୍ଦ୍ରଙ୍କ ଗସ୍ତ ମଧ୍ୟ ଅନେକ ଗୁରୁତ୍ୱ ରଖୁଛି । ବିଜେପୁର ବିପର୍ଯ୍ୟୟ ନେଇ ଦଳର ନେତାମାନେ ବିଶେଷ କିଛି ପ୍ରତିକ୍ରିୟା ରଖିନାହାନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ବାବଦରେ କିଛି ଟିପ୍ପଣୀ କରିନାହାନ୍ତି । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଦ୍ୱିତୀୟଥର ପାଇଁ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ୨୦୧୯ ସାଧାରଣ ନିର୍ବଚନ ଲାଗି କିଛି ସ୍ୱତନ୍ତ୍ର ରଣନୀତି ସହ ଓଡିଶା ଫେରିଥିବା ଅନୁମାନ କରାଯାଉଛି । ଏହି ଗସ୍ତକୁ ଦଳ ସଂଗଠନରେ ନୂଆ ଉତ୍ସାହ ଭରିବା ଦିଗରେ ଉପଯୋଗ କରିବାକୁ ଚାହୁଁଛି ।

ଉଲ୍ଲେଖ ଥାଉ କି, ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଗତକାଲି ଥିଲା ଶେଷ ଦିବସ। ନାମାଙ୍କନ ପ୍ରତ୍ୟାହାର ପରେ ଅନେକ ପ୍ରାର୍ଥୀଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରାଯାଇ ଥିଲା । ସେମାନଙ୍କ ମଧ୍ୟରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମଧ୍ୟ ପ୍ରଦେଶରୁ ୫ ଜଣ ନିର୍ବାଚିତ ହୋଇଥିବା ବେଳେ ରବିଶଙ୍କର ପ୍ରସାଦଙ୍କ ସମେତ ୬ ଜଣ ବିହାରରୁ ନିର୍ବାଚିତ ହୋଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବିଜେପି ମଧ୍ୟ ପ୍ରଦେଶରୁ ପ୍ରାର୍ଥୀ କରିଥିଲା । ତାଙ୍କୁ ମିଶାଇ ବିଜେପିର ୪ ଜଣ ପ୍ରାର୍ଥୀ ଏଠାରୁ ନିର୍ବାଚିତ ହୋଇଛନ୍ତି ।

ସେହିଭଳି ଗୁଜରାଟରେ ୪ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଶେଷ ମୁହୂର୍ତରେ ବିଜେପି ଏହାର ତୃତୀୟ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିବା ପରେ ଏହା ସମ୍ଭବ ହୋଇଛି । ରାଜ୍ୟରୁ ବିଜେପି ଏବଂ କଂଗ୍ରେସର ଦୁଇଟି ଲେଖାଏଁ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ରାଜସ୍ଥାନରୁ ସମସ୍ତ ତିନିଟି ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଓଡ଼ିଶାରୁ ସମସ୍ତ ୩ଟି ଆସନରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି । ଆନ୍ଧ୍ର ପ୍ରଦେଶରେ ଟିଡିପିର ୨ ଏବଂ ଓ୍ଵାଇଏସଆର କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ତେବେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମ ବଙ୍ଗରେ ନିର୍ବାଚନ ନିଶ୍ଚିତ । ୟୁପିର ୧୦ଟି ଆସନ ମଧ୍ୟରୁ ବିଜେପି ୮ଟି ଜିତିବା ନିଶ୍ଚିତ ଥିବା ବେଳେ ଏହା ୯ ଜଣଙ୍କୁ ପ୍ରାର୍ଥୀ କରିଛି । ଏଠାରେ ସମାଜବାଦୀ ଏବଂ ବହୁଜନ ସମାଜ ପାର୍ଟି ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି । କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ୟୁପିରୁ ରାଜ୍ୟସଭା ପ୍ରାର୍ଥୀ ଅଛନ୍ତି । ସେହିଭଳି ପଶ୍ଚିମ ବଙ୍ଗରେ ୫ଟି ଆସନରେ ୬ ଜଣ ପ୍ରାର୍ଥୀ ଅଛନ୍ତି । ତୃଣମୂଳ କଂଗ୍ରେସର ୪ ଏବଂ କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ ଥିବା ବେଳେ ସିପିଏମ୍ ଜଣେ ପ୍ରାର୍ଥୀ ଦେଇଛି । ନିର୍ବାଚନ ୨୩ ତାରିଖରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ୧୬ଟି ରାଜ୍ୟରୁ ୫୮ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।