ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର ! ଜରିଆ ବନିଲେ ପ୍ରଶାସନିକ ଅଧିକାରୀ । କହିଲେ, ରାଜନୈତିକ ଚାପରେ ରାଜ୍ୟର ସ୍ୱାର୍ଥରେ ବାଧକ ସାଜୁଛନ୍ତି ଅଫିସର୍ ।

190

କନକ ବ୍ୟୁରୋ : ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଧ୍ୟମ ପାଟଲଟିଛନ୍ତି ପ୍ରଶାସନିକ ଅଧିକାରୀ । ଆଇଏଏସ ଅଧିକାରୀ ତଥା ରାଜ୍ୟ ଶ୍ରମ ସଚିବ ଅନୁ ଗର୍ଗଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ମନ୍ତ୍ରୀ । ରାଜନୈତିକ ଚାପରେ ଏହି ପ୍ରଶାସନିକ ଅଧିକାରୀ ରାଜ୍ୟବାସୀଙ୍କ ସ୍ୱାର୍ଥରେ ବାଧକ ସାଜୁଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ଜବାବରେ ବିଜେଡି କହିଛି ଧର୍ମେନ୍ଦ୍ରଙ୍କ ଏହି ଅଭିଯୋଗ ଚିରାଚରିତ ।

ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର । ଜରିଆ ବନିଲେ ଆଇଏଏସ୍ ଅଫିସର । ସିଧାସଳଖ ରାଜ୍ୟ ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏଥର ମୋହରା ସାଜିଛନ୍ତି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥିବା ପୁଣି ଜଣେ ବରିଷ୍ଠ ଅଧିକାରୀ । କେନ୍ଦ୍ରମନ୍ତ୍ରୀଙ୍କ ନିଶାନାରେ ଏବେ ରାଜ୍ୟ ଶ୍ରମ ସଚିବ ଅନୁ ଗର୍ଗ । ଦେଶର ସବୁଠାରୁ ବଡ ପେନସନ ଯୋଜନା ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଓଡିଶାରେ ଶୁଭାରମ୍ଭ ଅବସରରେ ଆଇଏଏସ ଅଫିସରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର ।

ରାଜନୈତିକ ଚାପରେ ପଡି ପ୍ରଶାସନିକ ଅଧିକାରୀ ଓଡିଆ ଲୋକଙ୍କ ସ୍ୱାର୍ଥରେ ବାଧକ ସାଜୁଥିବା ଅଭିଯୋଗ କରିଛନ୍ତି । ହେଲେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଅଭିଯୋଗକୁ ଚିରାଚରିତର ଆଖ୍ୟା ଦେଇଛି ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ ରାଜ୍ୟର ଆଇଏଏସ ଅଫିସରଙ୍କୁ ଟାର୍ଗେଟ କରିନାହାନ୍ତି । ଏହା ପୂର୍ବରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଅଶୋକ ମୀନା, ଏଲ.ଏନ.ଗୁପ୍ତାଙ୍କ ପରି ବରିଷ୍ଠ ପ୍ରଶାସନିକ ଅଫିସରଙ୍କୁ ମଂଚ ଉପରେ ପକ୍ଷପାତିତା କରୁଥିବାର ଅଭିଯୋଗ ଆଣିଛନ୍ତି । ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳକୁ ମଧ୍ୟ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ଧର୍ମେନ୍ଦ୍ର । ଟ୍ୱିଟ୍ କରି ଏହି ବଦଳି ପଛରେ ରାଜ୍ୟ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଛନ୍ତି ।