କୋଷ୍ଟାଲ୍ ହାଇୱେ ବିବାଦ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲେ ଧର୍ମେନ୍ଦ୍ର ! କହିଲେ, ରାଜ୍ୟ ସରକାର ଜମି ଦେଲେ, ଏନଏଚଏଆଇ କାମ କରିବ ।

122

କନକ ବ୍ୟୁରୋ : କୋଷ୍ଟାଲ୍ ହାଇୱେ ଓ ଚିଲିକା ଉପରେ ବ୍ରିଜ୍ ପ୍ରସଙ୍ଗରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି କୋଷ୍ଟାଲ୍ ହାଇୱେ କରାଇ ନଦେବା ଘଟଣାରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୂଳ ଦୋଷୀ । ରାଜ୍ୟ ସରକାର ଜାଗା ଉପଲବ୍ଧତା କଲେ ଏନଏଚଏଆଇ ତା’କାମ କରିବ । ମୁଖ୍ୟଶାସନ ସଚିବଙ୍କ ପାଖରେ ପ୍ରେଜେଣ୍ଟେସନ ପରେ ଏନଏଚଆଇର ଜୁଲାଇ-ଅଗଷ୍ଟ ମାସର ପ୍ରସ୍ତାବ ଆଜି ପର୍ଯ୍ୟନ୍ତ ୬ ମାସ ପଡିଲା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଚିଲିକା ଉପରେ ଯେଉଁ ବ୍ରିଜ୍ ଦୁଇଟି ହେବ, ଯେଉଁଥିରେ ଜମି ଅଧିଗ୍ରହଣର ଆବଶ୍ୟକତା ନାହିଁ ।

କୋଷ୍ଟାଲ୍ ହାଇୱେ ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମ ପ୍ରତିନିଧିଙ୍କ କୋଷ୍ଟାଲ ହାଇୱେ ଓ ଚିଲିକା ଉପରେ ବ୍ରିଜ ନିର୍ମାଣ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯଦି କିଛି ଅଂଚଳରେ ସମୁଦ୍ର ପାଖ ଦେଇ ରାସ୍ତା ହେବ, ଏଥିରେ କାହାର ଦ୍ୱିମତ ନାହିଁ । ରାଜ୍ୟ ସରକାର ଜାଗା ଉପଲବ୍ଧତା କଲେ ଏନଏଚଏଆଇ ତା’କାମ କରିବ । ସେ ଆହୁରି କହିଛନ୍ତି ଯେ, ୨୦୧୫-୧୬ ମସିହାରେ ଯେଉଁ କଥା ରାଜ୍ୟ ସରକାର କହିଥିଲେ ୨୦୧୮ରେ ମଧ୍ୟ ସେହି କଥାକୁ ଦୋହରାଇଥିଲେ ଏବଂ ୧୯ ମସିହାରେ ମଧ୍ୟ ସେହି କଥା କହୁଛନ୍ତି ।

କୋଷ୍ଟାଲ ଜୋନ୍ ମ୍ୟାନେଂଜମେଂଟ୍ ଅଥୋରିଟିର କେବଳ ସୁପାରିଶ କରି ସିଆରଜେଡ୍ ଅନୁମତି ପାଇଁ ସୁପାରିଶ କରିବାରେ ରାଜ୍ୟ ସରକାର କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଇଚ୍ଛା ନଥିଲେ ସିଧା କାହିଁକି କହୁନାହାନ୍ତି ସରକାର? ବୁଲେଇ ବଙ୍କେଇ ପ୍ରକଳ୍ପକୁ ପଛେଇବା ଏବଂ ପ୍ରକଳ୍ପକୁ ନକରେଇ ଦେବାର ମୂଳ ଦୋଷୀ ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନ ବୋଲି ସେ କହିଛନ୍ତି । ନଳିନୀ ପ୍ରଧାନ ଓାର୍କ୍ସ ସେକ୍ରେଟେରୀ ନାହାନ୍ତି । ରାଜନୀତି କାମରେ ମାତିଲେଣି । ଏପରିକି ତାଙ୍କର ପୋଷ୍ଟର ଛପିଲାଣି । ତାଙ୍କର ଏକ ବିବୃତିରେ ସେ କହୁଛନ୍ତି ଯେ ଏପ୍ରିଲ ମାସରୁ ମୁଖ୍ୟ ସଚିବଙ୍କ ଆଗରେ ଏକ ପ୍ରେଜେଂଟେସନ ହୋଇଥିଲା, ଯେଉଁଟା ଜୁଲାଇ, ଅଗଷ୍ଟ ସୁଦ୍ଧା ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା, ସେ ତାକୁ ଦେଖି ଫେରାଇବା ପାଇଁ ଫେବୃୟାରୀ ପର୍ଯ୍ୟନ୍ତ କାହିଁକି ବିଳମ୍ବିତ ହେଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି ।