କୁନ୍ଦୁଲି ଘଟଣାରେ ତଦନ୍ତ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ! କହିଲେ, ଏସଆଇଟି ତଦନ୍ତ ନିଷ୍ପତି ଏକତରଫା

28

କନକ ବ୍ୟୁରୋ : କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଏସଆଇଟି ତଦନ୍ତ ନିର୍ଦ୍ଦେଶ ଏକତରଫା । ମାମଲାରେ ଓଡିଶା ପୋଲିସଙ୍କ ନାଁ ସଙ୍ଗୀନ ଅଭିଯୋଗ ଆସିଛି । ମୁହଁ ବନ୍ଦ ପାଇଁ ଲାଂଚ ଦିଆଯାଇଛି ।  ପରିବାର ସଦସ୍ୟଙ୍କୁ ଅତ୍ୟାଚାର କରାଯାଇଛି ସୁସାଇଡ ନୋଟକୁ ରାଜ୍ୟ ପୋଲିସ ନଷ୍ଟ କରିଛି । କ୍ରାଇମବ୍ରାଂଚ ନାଁରେ ତଦନ୍ତକୁ ଦିଗଭ୍ରଷ୍ଟ କରିବାକୁ ଉଦ୍ୟମ ହେଉଛି । ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ପୁଣି ଦାବି ଦୋହରାଇନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଚତୁରତାର ସହ ଘଟଣାର ତଦନ୍ତକୁ ଏସଆଇଟିରେ ସୀମିତ ରଖିଛନ୍ତି । ନିଜର ସମ୍ବେଦନହୀନତାକୁ ଲୁଚାଇବା ପାଇଁ ଏସଆଇଟି ତଦନ୍ତ ଏକ ବାହାନା । ତେବେ ଧର୍ମେନ୍ଦ୍ରଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କାହିଁକି ମତ ବଦଳାଉଛନ୍ତି ।

ସେପଟେ ଶିଶୁଭବନ ଛକରେ କୁନ୍ଦୁଲି ମାମଲାରେ ପୁଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । କୁନ୍ଦୁଲି ମାମଲାରେ ନବୀନ ନିବାସ ଘେରାଉ କରିବାକୁ ଯିବାବେଳେ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇବାରୁ ମୁହିଁମୁହିଁ ହୋଇଛନ୍ତି କର୍ମୀ ଓ ପୁଲିସ୍ । ଏଥିରେ କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଅଣ୍ଡାମାଡ କରିଥିବା ଅଭିଯୋଗ ହୋଇଛି । କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରାଉ କରିବାକୁ ଶତାଧିକ କଂଗ୍ରେସ ଯାଉଥିଲେ । ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ସହ ଫାଶିଦଣ୍ଡ ଦେବା ଦାବି କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।