ବ୍ଲକ ସ୍ତରରେ ପିସି କାରବାର ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

22

କନକ ବ୍ୟୁରୋ : ବ୍ଲକ ସ୍ତରରେ ପିସି କାରବାର ବନ୍ଦ କରିବା ନେଇ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଦାଗିଦ୍ ପରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଗତକାଲି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ସରକାରୀ ସମୀକ୍ଷା ବୈଠକକୁ ନାଟକୀୟ ମୋଡ ଦେଇଛନ୍ତି ।

ବ୍ଲକସ୍ତରରେ ପିସି କାରବାର ବନ୍ଦ କରିବାକୁ କହିଛନ୍ତି । ୧୭ ବର୍ଷ ହେଲା ପିସି ଚାଲିଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଯଦି ଚାଲିଥିଲେ କେତେ ଚାଲିଥିଲା ଆଉ କେବେ ବନ୍ଦ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କହିବେ । ନୈତିକତା ଥିଲେ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଆଣନ୍ତୁ । କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ହନୁ ମଲା ବେଳେ ସତ କୁହେ । ବ୍ଲକ୍ ସ୍ତରର ଗୋଟିଏ ପ୍ରକଳ୍ପ କାମ ହାତକୁ ନେବା ପାଇଁ ହେଲେ ପିସି ବା’ ଲାଂଚ୍ ଆକାରରେ ହାତଗୁଂଜା ଦେବାକୁ ପଡିଥାଏ । ଏନେଇ ସାଧାରଣ ଲୋକ ଅଭିଯୋଗ କରିବା ପରେ ଧରପଗଡ ଆରମ୍ଭ ହୋଇଛି ।

ଗତ କିଛି ଦିନ ତଳେ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ପିସି କାରବାର ନେଇ ସୂଚନା ଦେଇଥିଲେ । କହିଥିଲେ, ଜନକଲ୍ୟାଣକାରୀ ଯୋଜନାର ରୂପାୟନ ପାଇଁ ୧୩ ପ୍ରତିଶତ ପିସି ବ୍ୟବସ୍ଥାରେ ହୁଏ । ପଂଚାୟତରାଜ ମନ୍ତ୍ରୀ ଏହି ପିସି କାରବାର ଉପରେ ରୋକ୍ ଲଗାଇବା ପାଇଁ ଅଂଟା ଭିଡିଛନ୍ତି । ସେପଟେ ଗତକାଲି ମୁଖ୍ୟମନ୍ତ୍ରୀ ସରକାରୀ ବାବୁଙ୍କୁ ପିସି କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକସ୍ତରରେ ପିସି ବା ପର୍ସେଂଟେଜ୍ କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସଚିବାଳୟରେ ଜିଲ୍ଲାପାଳ ସମ୍ମିଳନୀର ଦ୍ୱିତୀୟ ପର୍ଯ୍ୟାୟରେ ଏଭଳି ନିର୍ଦ୍ଦେଶନାମା ଜାରି କରିଥିଲେ ନବୀନ । ଆଜି ଏହି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।