ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା : କହିଲେ, ଆଗକୁ ଶୁଣାଯିବ ପରିବର୍ତନର ପଦଧ୍ୱନି

27

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ଫଳାଫଳ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାରେ ଆଗକୁ ବଡ ପରିବର୍ତନର ପଦଧ୍ୱନି ଶୁଣିବାକୁ ମିଳିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାସହ ଓଡ଼ିଶାରେ ଆସ୍ଥା ଓ ଅନାସ୍ଥାର ଭୋଟ ହୋଇଛି ଏବଂ ପ୍ରଜାତନ୍ତ୍ରରେ ଯେଉଁମାନେ ଅହଙ୍କାର ଦେଖାନ୍ତି ଲୋକେ ତାଙ୍କୁ ବାଛି ବାଛି ଦଣ୍ଡ ଦିଅନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବିଜେଡି ମୁଖ୍ୟପାତ୍ର ଶଶିଭୂଷଣ ବେହେରାଙ୍କ ମଧ୍ୟ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଅମଲାମାନେ ଯାହା ଲେଖନ୍ତି ଶଶିଭୂଷଣ ସେଇଆ କୁହନ୍ତି ଓ ଯାହାଙ୍କ ମୁହଁରେ ଲଜ୍ଜା ନାହିଁ ତାଙ୍କୁ କଣ କହିବୁ ବୋଲି ଶଶିଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି ।

ଧର୍ମେନ୍ଦ୍ରଙ୍କ ସମାଲୋଚନାର ଜବାବ ରଖିଲା ବିଜେଡି । ମୁଖ୍ୟପାତ୍ର ଶଶିଭୂଷଣ ବେହେରା କହିଲେ, ଉଲ୍ଳସିତ ହେଲା ଭଳି ହୋଇନି ବିଜେପିର ପ୍ରଦର୍ଶନ । ଏବେବି ବିଜେଡି ନମ୍ବର ୱାନ ଅଛି, ଥିଲା ଓ ରହିବ । ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ତାଙ୍କ ଦାୟିତ୍ୱପୂର୍ଣ୍ଣ ମନ୍ତବ୍ୟ ଆଶା କରାଯାଏ କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ସେ ସ୍ତରକୁ ଆସିନାହାନ୍ତି ବୋଲି ଶଶିଭୂଷଣ କହିଛନ୍ତି ।

ଏହାସହ ଦାମ ରାଉତଙ୍କ ଡେଙ୍ଗୁ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଜେପିକୁ ଡେଙ୍ଗୁ ହୋଇଛି ବୋଲି ଯେଉଁ ବଡ ପାଟିଆ ବାହାପିଆ ନେତା କହୁଥିଲେ ତାଙ୍କୁ ମ୍ୟାଲେରିଆ ଓ ଜାପାନୀ ଜ୍ୱର ପ୍ରବଣ ମାଲକାନଗିରି ଜିଲ୍ଲା ଉଚିତ ଜବାବ ଦେଇଛି । ଏବଂ କୁଜଙ୍ଗର ଜନସାଧାରଣ ଅହଙ୍କାରକୁ ଭାଙ୍ଗି ପଦ୍ମ ଫୁଟାଇଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ –