ରତ୍ନଭଣ୍ଡାର ଚାବି ହଜିବା ଘଟଣା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଘଟଣା ସତ ହୋଇଥିଲେ ସାଂଘାତିକ

25

କନକ ବ୍ୟୁରୋ : ରତ୍ନଭଣ୍ଡାରରେ ଚାବି ହଜିବା ପ୍ରସଙ୍ଗ ଦିନକୁ ଦିନ ଘନେଇବାରେ ଲାଗିଛି । ଆଜି ଏ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି , କଥା ସତ ହୋଇଥିଲେ ସାଂଘାତିକ । ଏ ବାବଦରେ ମୁଖ୍ୟମନ୍ତ୍ରୀ କାହିଁ ଚୁପ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗରେ କମିଶନ ବସାଇ ଆଖିରେ ଧୂଳି ଦେବା ପାଇଁ ଉଦ୍ୟମ କରାଯାଉଛି ବୋଲି ଧର୍ମେନ୍ଦ୍ର ଅଭିଯୋଗ ଆଣିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ପରେ ସରକାର ଏହାର ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ସମୟରେ ମୁହଁ ଖୋଲିବାକୁ ବାରଣ କରିଥିଲା ପ୍ରଶାସନ ବୋଲି ଗତକାଲି ମନ୍ତବ୍ୟ ଦେଇଥିଲେ ଏଏସଆଇ କମିଟିର ସଦସ୍ୟ ଜି.ସି ମିତ୍ର । ଏପ୍ରିଲ ମାସରେ ରତ୍ନଭଣ୍ଡାର ଯାଂଚ ପାଇଁ ଏକ କମିଟି ମନ୍ଦିର ଭିତରକୁ ଯିବାବେଳେ ପ୍ରଶାସନ ଏଭଳି ରାଣ ଦେଇଥିଲା । ପ୍ରଫେସର ମିତ୍ର କହିଥିଲେ, ରତ୍ନଭଣ୍ଡାରକୁ ଯିବାବେଳେ ଲୋକନାଥଙ୍କୁ ଛୁଆଁଇ ବାହାରେ ମୁହଁ ନ ଖୋଲିବାକୁ କୁହାଯାଇଥିଲା । ରତ୍ନଭଣ୍ଡାର ଭିତରେ ଯାହା ଦେଖିଲୁ, ଯାହା ଶୁଣିଲୁ ଓ ଯାହା କାଥାବାର୍ତା କଲୁ ତାହା ନ କହିବା ପାଇଁ ପ୍ରଶାସନ ରାଣ ଦେଇଥିଲା । ଫଳରେ ଏ ନେଇ କିଛି କହିବାକୁ ସେମାନେ ଠିକ ମଣିନଥିଲେ । ଏହାଛଡ଼ା ସେ କହିଛନ୍ତି, ରତ୍ନଭଣ୍ଡାର ନୀରିକ୍ଷଣ କରିବାକୁ ଯିବାବେଳେ ଚାବିକଥା ଆମେ ଜାଣିନଥିଲୁ । ରତ୍ନଭଣ୍ଡାର ଚାବି ଥିଲା କି ନାହିଁ ତାହା ଆମକୁ ଜଣା ନଥିଲା ।