ମୋଦିଙ୍କ ଢ଼ାଂଚାରେ ଧର୍ମେନ୍ଦ୍ରଙ୍କ ଧର୍ମପଦ ଷ୍ଟାଇଲ ! ଓଡିଶାର ଯୁବପିଢ଼ିକୁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ପାଠ ପଢ଼ାଇଲେ କେନ୍ଦ୍ରମନ୍ତ୍ରୀ ।

109

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପଦ ବାଣୀ । ଓଡ଼ିଶାର ଯୁବପୀଢ଼ିକୁ ନିଯୁକ୍ତି ସଂପର୍କିତ ସୂଚନା, ବୃତିଗତ ଶିକ୍ଷା ତଥା ଆତ୍ମ ନିଯୁକ୍ତିର ପାଠପଢ଼ାଇଛନ୍ତି ଧର୍ମେନ୍ଦ୍ର । ନୂଆ ଓଡ଼ିଶା ଧର୍ମପଦ ଡାଏଲଗ୍ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ପ୍ରାୟ ଅଢ଼େଇ ଲକ୍ଷ ଯୁବକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରିଛନ୍ତି ଧର୍ମେନ୍ଦ୍ର । ଆଉ ଏପଟେ କେନ୍ଦ୍ରମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ଓ ବିଜେଡି । କହିଛନ୍ତି, କୁଆଡେ ଗଲା ବର୍ଷକୁ ୨କୋଟି ନିଯୁକ୍ତିର ପ୍ରତିଶ୍ରୁତି ।

ମୋଦି ଷ୍ଟାଇଲରେ ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କ ମୁହଁରେ ‘ଧର୍ମପଦ’ ବାଣୀ । କୋଣାର୍କ ନିର୍ମାଣରେ ଧର୍ମପଦ ଯେଉଁ ଭୂମିକା ଗ୍ରହଣ କରିଥିଲେ, ନୂଆ ଓଡ଼ିଶା ଗଠନରେ ଯୁବ ପୀଢ଼ିଙ୍କୁ ସେହି ଭଳି ଭୂମିକାରେ ଅବତୀର୍ଣ୍ଣ କରିବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରମ୍ଭ କରିଛନ୍ତି ଅଭିଯାନ । ଯାହାର ନାଁ ରହିଛି ‘ନୂଆ ଓଡ଼ିଶା ଧର୍ମପଦ ଡାଏଲଗ୍’ । ଯେଉଁଥିରେ ଓଡ଼ିଶାର ୩୦ ଜିଲ୍ଲାର ଯୁବପୀଢ଼ିଙ୍କୁ ନୂଆ ଓଡ଼ିଶା ଗଠନ ନେଇ ସଚେତନ କରିବାର ଉଦ୍ୟମ ହୋଇଛି । ଠିକ୍ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଉ ଅଭିଯାନର ଫୋକସରେ ଓଡ଼ିଶାର ଯୁବପୀଢ଼ି । ନରେନ୍ଦ୍ର ମୋଦି ଯେମିତି ସିଧାସଳଖ ଲୋକଙ୍କ ସହ କଥା ହେଇ ମତାମତ ନିଅନ୍ତି, ଠିକ୍ ସେମିତି ଯୁବକଙ୍କ ସହ କଥା ହୋଇଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍କିଲ୍ଡ ସାଥୀ ୟୁଥ୍ କନକ୍ଲେଭ୍ ଜରିଆରେ ଓଡ଼ିଶାର ଯୁବକ-ଯୁବତୀଙ୍କୁ ଦକ୍ଷତା ସଂପର୍କିତ ସୂଚନା, ନିଯୁକ୍ତି ସୁଯୋଗ, ବୃତିଗତ ଶିକ୍ଷା ଆଦି ସଂପର୍କରେ ସଚେତନ କରାଯାଇଛି । ରେଲୱେ ଅଡିଟୋରିୟମରେ ହୋଇଥିବା ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ରାଜ୍ୟର ୫୦ଟି ସେଂଟରରେ ହୋଇଥିବା ବେଳେ ୫ଟି ସେଂଟରର ଯୁବକ-ଯୁବତୀଙ୍କ ସହ କଥା ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ବଡ କଥା ହେଉଛି ନିର୍ବାଚନ ଠିକ୍ ପୂର୍ବରୁ ଯୁବକଙ୍କୁ ଛୁଇଁଲା ଭଳି କାର୍ଯ୍ୟକ୍ରମର ବେଶ ଗୁରୁତ୍ୱ ରହିଛି । କାରଣ ଚଳିତବର୍ଷ ଓଡ଼ିଶାରେ ପ୍ରାୟ ସାଢ଼େ ୫ଲକ୍ଷ ଭୋଟର୍ ୨୦୧୯ରେ ନୂଆକରି ଭୋଟ୍ ଦେବାକୁ ଯାଉଛନ୍ତି । ଆଉ ଏଭଳି ଏକ ସମୟରେ ଧର୍ମପଦଙ୍କ ନାଁ ନେଇ କାର୍ଯ୍ୟକ୍ରମ କରିବାକୁ ସହଜରେ ଗ୍ରହଣ କରି ନାହିଁନ୍ତି ବିରୋଧୀ । ଯେତେବେଳେ ନିଯୁକ୍ତି ପ୍ରସଙ୍ଗକୁ ନେଇ ଯୁବପୀଢ଼ିଙ୍କ ମଧ୍ୟରେ ଧିରେ ଧିରେ ଆକ୍ରୋଶ ବଢ଼ୁଛି ଏବଂ କେନ୍ଦ୍ରର ମୋଦି ସରକାର ବର୍ଷକ ୨କୋଟିର କଥା କହି ଭୁଲି ଯାଇଛନ୍ତି, ଠିକ୍ ସେତିକି ବେଳେ ଯୁବପୀଢ଼ିଙ୍କୁ ନେଇ ନୂଆ ଓଡ଼ିଶାର ସ୍ୱପ୍ନ ଦେଖାଇବା, ବିିଜେପି ପାଇଁ କେତେ ଦୂର ସହାୟକ ହେବ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ ।