ମହାନଦୀ ପ୍ରସଙ୍ଗରେ ବିଜେପି ଆଣିବ ଶ୍ୱେତପତ୍ର : ଧର୍ମେନ୍ଦ୍ର ପ୍ରଧାନ

36

କନକ ବ୍ୟୁରୋ : ମହାନଦୀ ଉପରମୁଣ୍ଡରେ ଛତିଶଗଡର ନିର୍ମାଣ ପ୍ରସଙ୍ଗରେ ଶ୍ୱେତପତ୍ର ଆଣିବ ରାଜ୍ୟ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ଘୋଷଣା ପରେ ଶ୍ୱେତପତ୍ରରେ ହିଁ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରେ । ତେବେ ମହାନଦୀ ବିବାଦରେ କଣ ରହିବ ବିଜେପିର ଆଭିମୁଖ୍ୟ ଏ ନେଇ ଉଠିଛି ପ୍ରଶ୍ନ । ଓଡିଶାର ସ୍ୱାର୍ଥ ହାନୀ ହେଉଥିବା ଅଭିଯୋଗ କରି ଉଭୟ ଛାତିଶଗଡ ଓ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କରିଛି ବିଜେଡି । ତେଣୁ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ମହାନଦୀ ପ୍ରସଙ୍ଗରେ ଓଡିଶାର ସ୍ୱାର୍ଥ ରକ୍ଷା ନେଇ ମୂଳରୁ ସନ୍ଦେହ ପ୍ରକାଶ କରିଆସୁଛି ବିଜେଡି । ଏବେ ରାଜ୍ୟ ବିଜେପିର ଶ୍ୱେତପତ୍ର ପ୍ରସଙ୍ଗରେ ସିଧାସଳଖ ବିଜେଡିର ଟାର୍ଗେଟରେ ରହିବେ ଧର୍ମେନ୍ଦ୍ର ଆଣ୍ଡ କୋ । ଶାସକ ଦଳର ନେତା ପ୍ରଶ୍ନ ଉଠାଇଛନ୍ତି, କଣ ଛତିଶଗଡର ବେଆଇନ ନିର୍ମାଣ ପ୍ରସଙ୍ଗରେ ଶ୍ୱେତପତ୍ରରେ ଉଲ୍ଲେଖ କରିବ ରାଜ୍ୟ ବିଜେପି । ସିଡବ୍ଲୁସିର ଭୂମିକା ନେଇ ବିଜେପି ଶ୍ୱେତ ପତ୍ରରେ କଣ ରହିବ ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାବେଳେ ସୋସିଆଲ ମିଡିଆରେ ଘୁରିବୁଲୁଛି ବିଜେପି ମୁଖପାତ୍ର ସଜ୍ଜନ ଶର୍ମାଙ୍କ ଏ ସଂପର୍କୀତ ପୋଷ୍ଟ। ବିଜେପି ମୁଖପାତ୍ରଙ୍କ ଲେଖାରୁ ରାଜ୍ୟ ସ୍ୱାର୍ଥ ବଦଳରେ ରାଜନୈତିକ ଉଦେଶ୍ୟର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି । କାରଣ ମହାନଦୀ ଉପର ମୁଣ୍ଡରେ କେଲୋ ପ୍ରକଳ୍ପ ସଂପର୍କରେ ଛତିଶଗଡ ସରକାର ୨୦୦୭ ଡିସେମ୍ବର ୧୯ରେ ଅବଗତ କରିଥିଲେ ବୋଲି ଲେଖିଛନ୍ତି ସଜ୍ଜନ ଶର୍ମା। ସେହିପରି ଏହା ପୂର୍ବରୁ କେଲୋ ପ୍ରକଳ୍ପ ସଂପର୍କରେ କେନ୍ଦ୍ରୀୟ ଜଳ ଆୟୋଗ ୨୦୦୭ ଏପ୍ରିଲ ୧୯ରେ ଓଡିଶା ସରକାରଙ୍କୁ ଜଣାଇଥିଲେ। କେଲୋ ପ୍ରକଳ୍ପ ଅଧିକାରୀ ମଧ୍ୟ ଓଡିଶାର ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରିଥିଲେ। ତେଣୁ ମହାନଦୀରେ ଛତିଶଗଡ ସରକାର ଏକତରଫା ଭାବେ ଡ୍ୟାମ ଓ କେନାଲ ନିର୍ମାଣ କରୁଥିବା ନେଇ ନବୀନ ସରକାରଙ୍କ ଅଭିଯୋଗ ଡାହା ମିଛ ବୋଲି ଶ୍ୱେତପତ୍ରରେ ପ୍ରମାଣ ଦେଇପାରେ ବିଜେପି । ଏଭଳି ସମ୍ଭାବନା ନେଇ ଚର୍ଚ୍ଚା ଚାଲିଛି। ସବୁଠାରୁ ବଡ କଥା ହେଉଛି ବିଜେଡି ଓ ରାଜ୍ୟ ସରକାରଙ୍କୁ ଭୁଲ ପ୍ରମାଣ କରିବା ପାଇଁ ବିଜେପି ଯେଉଁ ଶ୍ୱେତପତ୍ର ପ୍ରକାଶ କରିବାକୁ ଅଂଟା ଭିଡିଛି, ତାହା ଦଳ ପାଇଁ ବୁମେରାଂ ହେବନି ତ!