ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଧର୍ମେନ୍ଦ୍ର ପ୍ରଧାନ

45

କନକ ବ୍ୟୁରୋ : ମହାନଦୀ ଉପର ମୁଣ୍ଡରେ ଛତିଶଗଡ ସରକାର ବନ୍ଧ ନିର୍ମାଣ କରିବା ପ୍ରସଙ୍ଗରେ ପ୍ରଥମ ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ରାଜ୍ୟ ସରକାର ମହାନଦୀ ଚୁକ୍ତି ଅନୁସାରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରିବା ପାଇଁ  ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । ୧୯୮୩ର ଚୁକ୍ତି ଆଧାରରେ ବୋର୍ଡ ଗଠନ ନହେବାରୁ ଆଜି ଏଭଳି ଏକ ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି । ଅନ୍ୟପଟେ ଓଡିଶାର ସ୍ୱାର୍ଥ ସହ କୌଣସି ମତେ ସାଲିସ କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତା କାରଣରୁ ମହାନଦୀକୁ ନେଇ ବିବାଦ ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ ମହାନଦୀରେ ଛତିଶଗଡର ଡ୍ୟାମ ନିର୍ମାଣ ପ୍ରସଙ୍ଗରେ ବିଜେପିକୁ ଆହ୍ୱାନ ଦେଇଛନ୍ତି ଶାସକ ଦଳ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ । ଦଳର ଦୁଇ ଜଣେ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଓଡିଶା ପ୍ରତି ହେଉଥିବା ଅବିଚାର ପ୍ରସଙ୍ଗ ବୁଝାନ୍ତୁ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦିଙ୍କୁ ଭେଟି ମହାନାଦୀ ଉପରମୁଣ୍ଡରେ ଛତିଶଗଡ ତିଆରି କରୁଥିବା ବ୍ୟାରେଜ ବା ଡ୍ୟାମ ବନ୍ଦ କରିବାକୁ ବୁଝାଇବାକୁ ବିଜେଡି ଆହ୍ୱାନ ଦେଇଛି । ଅନ୍ୟପଟେ ଛତିଶଗଡର ଏଭଳି କାମକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏନେଇ ସେ ସର୍ବଦଳୀୟ ବୈଠକ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ଜଣାଇଛନ୍ତିି । ଅନ୍ୟପକ୍ଷରେ ସର୍ବଦଳୀୟ ବୈଠକକୁ ସ୍ୱାଗତ କରିଛି ବିଜେପି ।  ପୋଲାଭରମ ଭଳି ମହାନଦୀ ପ୍ରସଙ୍ଗକୁ ବିଜେଡି ଦଳୀୟ ରାଜନୀତି ନକରିବାକୁ ପ୍ରଦୀପ ପୁରୋହିତ କହିଛନ୍ତି ।