ସିଏଏକୁ ନେଇ ଓଡିଶାରେ ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ ଚାଲିଛି । ଧର୍ମେନ୍ଦ୍ର କହିଲେ ଗଣତନ୍ତ୍ରରେ ବାଦବିବାଦର ସ୍ଥାନ ଅଛି, କିନ୍ତୁ ହିଂସାର ନାହିଁ ।

299

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ସଂସଦରେ ଐତିହାସିକ ଭୁଲକୁ ମୋଦି ସରକାର ସୁଧାରିଛନ୍ତି । ଧର୍ମ ଆଧାରରେ ଦେଶ ବିଭାଜନ ହୋଇଥିଲା । ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ବହୁ ଶରଣାର୍ଥୀ ଆସିଛନ୍ତି । ଆଉ ଭାରତ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବାର ବାଟ ଫିଟିଛି । ନରେନ୍ଦ୍ର ମୋଦି ସରକାର ସିଏଏ ଆଣି ସାହସିକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନାଗରିକତା ସଂଶୋଧନ ଆଇନକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଦେଶର ଜନତା ନାଗରିକ ସଂଶୋଧନ ଆଇନକୁ ସ୍ୱୀକାର କରିଛନ୍ତି । କଂଗ୍ରେସ ଅସହିଷ୍ଣୁ ହୋଇ ବିରୋଧ କରୁଛି । ଦେଶରେ ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ ଚାଲିଛି । ଗଣତନ୍ତ୍ରରେ ବାଦବିବାଦର ସ୍ଥାନ ଅଛି, କିନ୍ତୁ ହିଂସାର ସ୍ଥାନ ନାହିଁ ବୋଲି ସେ କହିଛନ୍ତି ।

ତେବେ ଓଡିଶାରେ ମଧ୍ୟ ହିଂସାକାଣ୍ଡ ପାଇଁ ଉଦ୍ୟମ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେଣୁ ଏଥିପାଇଁ ବିଜେପି, ଓଡିଶାରେ ଜନସମ୍ପର୍କ କାର୍ୟ୍ୟକ୍ରମ କରିବ । ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟର ତିନି କୋଟି ଲୋକଙ୍କ ପାଖକୁ ଯିବ ବିଜେପି । ସିଏଏକୁ ନେଇ ଓଡିଶାରେ ବ୍ୟାପକ ଜନଜାଗରଣ କରାଯିବ । ଶ୍ରୀଲଙ୍କା, ଉଗାଣ୍ଡାରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦିଆଯାଇଛି । ପାକିସ୍ତାନର ଅଦନାନ ସାମୀ, ତାରିକ ଫତେଙ୍କୁ ନାଗରିକତା ଦିଆଯାଇଛି । ସିଏଏକୁ ମୁସଲମାନ ବିରୋଧୀ ଭାବେ ଅପପ୍ରଚାର କରାଯାଉଛି । ସିଏଏକୁ ନେଇ କେନ୍ଦ୍ର ସରକାରଙ୍କ କିଛି ଏଭଳି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।