ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ : ଭିତିରିଆ ନୁହେଁ ହୋଇଛି ଖୋଲା ବୁଝାମଣା, ରାଜ୍ୟର ବିକାଶକୁ ଦିଆଯାଇଛି ପ୍ରାଥମିକତା

596

କନକ ବ୍ୟୁରୋ : ପ୍ରଥମେ ରାଜ୍ୟସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ହେଲା ଆଉ ତାପରେ ଦଳରେ ମିଶାଇଲେ । ପ୍ରଶାସକରୁ ବ୍ୟବସାୟୀ ଓ ବ୍ୟବସାୟୀରୁ ସାଂସଦ ହେବାକୁ ଯାଉଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଇଚଇ । ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଜେପି-ବିଜେଡି ଏବେ ଏକାଠି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ପ୍ରାର୍ଥୀତ୍ୱ ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ବି ବିଜେପି ନେତାଙ୍କ ପ୍ରସ୍ତାବକୁ ମାନିନେଇ ସମର୍ଥନ ଜଣାଇବେ ବୋଲି ଘୋଷଣା କରିଛନ୍ତି । ଯାହାକୁ କଡ଼ା ସମାଲୋଚନା କରିଛି କଂଗ୍ରେସ । ଏହି ପ୍ରସଙ୍ଗ ନେଇ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଜେପି ରାଜ୍ୟସଭା ପ୍ରାଥୀଙ୍କୁ ନେଇ ଆଜି ଖୋଲାଖୋଲି ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡ଼ିଶାରେ କାର୍ଯ୍ୟଦକ୍ଷତା ଦେଖାଇ ସାରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସଙ୍ଗେ କାମ କରିବାର ସୁଯୋଗ ମଧ୍ୟ ତାଙ୍କୁ ମିଳିଛି । ଅଶ୍ୱିନୀଙ୍କ ଦୃଷ୍ଟିକୋଣ ଓ କାର୍ଯ୍ୟଦକ୍ଷତା ରାଜ୍ୟକୁ ଓ ଦଳ ପାଇଁ ସହାୟକ ହେବ । ଓଡ଼ିଶାରୁ ଜଣେ ରାଜ୍ୟସଭା ପ୍ରାର୍ଥୀ ମିଳିବ । ରାଜ୍ୟର ବିକାଶ ପାଇଁ ଏପରି ବୁଝାମଣା ହୋଇଛି । ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ଥାଏ ।

ଏହାସହ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରିୟ ସଭାପତିଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତୀ ଅଶ୍ୱିନୀଙ୍କ ପରି ଜଣେ ଦକ୍ଷ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ନେବାକୁ ଚାହୁଁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସହଯୋଗ କରିଛନ୍ତି । ଗଣତନ୍ତ୍ରର ଏହା ଏକ ଉତ୍ତମ ପରମ୍ପରା । ଉଭୟ ଶୀର୍ଷ ନେତାଙ୍କର ଆଲୋଚନା କ୍ରମେ ଅଶ୍ୱିନୀଙ୍କୁ ପ୍ରାର୍ଥୀ କରାଗଲା । ଯଦ୍ୱାରା ଓଡ଼ିଶା ଲାଭବାନ ହୋଇ ପାରିବ ।

ତେବେ ଅଶ୍ୱିନୀଙ୍କୁ ବିଜେଡ଼ିର ସମର୍ଥନ ଘୋଷଣା ପରେ ସମାଲୋଚନା କରିଥିଲା କଂଗ୍ରେସ । ଆଉ ଏନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସମାଲୋଚକଙ୍କୁ ସମାଲୋଚନା କରିବାକୁ ଦିଆଯାଉ । ସମୟ କହିବ କାହାର ଲାଭ ହେବ କାହାର କ୍ଷତି ହେବ । ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ନେଇ ଆଲୋଚନା-ସମାଲୋଚନାର କୌଣସି ଆଧାର ନାହିଁ । ଉଭୟ ଦଳ ମଧ୍ୟରେ ଖୋଲା ବୁଝାମଣା ହୋଇଛି । ଏହାବ୍ୟତୀତ ସେ କେନ୍ଦ୍ରମନ୍ତ୍ରୀ ଓଡିଶାରେ ବିଜେପି ମୁଖ୍ୟ ବିରୋଧୀ ଦଳ । ଆଉ ଏହି ବୁଝାମଣା ବିରୋଧୀ ଦଳର ଭୂମିକାରେ କୌଣସି ପ୍ରଭାବକ ପକାଇବ ନାହିଁ । ଲୋକଙ୍କ ହକ୍ ପାଇଁ ବିଜେପି ଶାଣିତ ସ୍ୱର ଉଠାଇବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।