ନବକଳେବରରେ ନୂଆ ଚେହେରା ! ଅମିତ ଶାହାଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

26

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଶାହାଙ୍କ ବାସଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । କୁହାଯାଉଛି ନୂଆ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସ୍ଥାନ ଦିଆଯିବ ସେନେଇ ତାଲିକା ଚୂଡାନ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସମ୍ଭାବ୍ୟ ମନ୍ତ୍ରୀମାନେ ଶାହାଙ୍କୁ ଭେଟୁଥିବା ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତକୁ ନେଇ ଭିନ୍ନ ଆକଳନ କରାଯାଉଛି ।

ମୋଦି ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ବିଭାଗର ସ୍ୱାଧୀନ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ରଙ୍କ ପଦୋନ୍ନତି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଗୁଡବୁକରେ ଥିବା ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ ପାହ୍ୟା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଦେଖିବାର କଥା ଆସନ୍ତାକାଲି ଦିନ ୧୦ଟାରେ ମନ୍ତ୍ରିମଣ୍ଡଳ ଅଦଳବଦଳରେ ଧର୍ମେନ୍ଦ୍ରଙ୍କୁ ମିଳୁଛି କେଉଁ ବିଭାଗ ।

ଚର୍ଚ୍ଚା ହେଉଛି ମୋଦିଙ୍କ ନୂଆ ଟିମରେ ସାମିଲ ହେବାକୁ ଯାଉଛନ୍ତି ପ୍ରାୟ ଗୋଟିଏ ଡଜନ୍ ନୂଆ ଚେହେରା ।୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳର ସ୍ୱରପ ନିର୍ଦ୍ଧାରଣ କରିଛନ୍ତି ମୋଦି-ଶାହା ଯୋଡ଼ି । ଆଉ ଏହି ତାଲିକାରେ ରାଜସ୍ତାନର ଯୁବ ନେତା ସିପି ଯୋଶୀ, କର୍ଣ୍ଣାଟକର ଲିଙ୍ଗାୟତ ସଂପ୍ରଦାୟର ନେତା ସୁରେଶ ଅଙ୍ଗାଡି, ଦିଲ୍ଲୀର ପ୍ରବେଶ ବର୍ମାଙ୍କ ଭଳି ଚେହେରା, ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି ।

ଏସବୁ ଭିତରେ ଏନଡିଏ ସହଯୋଗୀ ଦଳକୁ କେମିତି ସନ୍ତୁଷ୍ଟ କରିବେ ମୋଦି, ତାକୁ ନେଇ ଦେଖା ଦେଇଛି ବଡ ପ୍ରଶ୍ନବାଚୀ । କ’ଣ ରହିବ ସହଯୋଗୀ ଦଳର ଭୂମିକା । କୁହାଯାଉଛି-ବିଜେପିର ଅଫରରେ ଖୁସ୍ ନାହାଁନ୍ତି ଜେଡିୟୁ ମୁଖ୍ୟ ନୀତିଶ କୁମାର । ଏମିତିକି ଅମିତ ଶାହା ଏହି ପ୍ରସଙ୍ଗରେ କୌଣସି ଆଲୋଚନା କରିନଥିବା ଖୋଲାଖୋଲି ଦଳୀୟ ନେତା କହିବୁଲୁଛନ୍ତି । ଅନ୍ୟପଟେ ଏଆଇଡିଏମକେ ଦଳୀୟ କନ୍ଦଳ ଭିତରେ ଛନ୍ଦି ହୋଇଥିବାରୁ ଏଯାଏଁ ନିଷ୍ପତି ନେଇପାରିନି, ମୋଦିଙ୍କ ହାତଧରିବ କି ନାହିଁ । ଶିବସେନା କିନ୍ତୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ କୌଣସି ଦାବି ରଖିନି ।

ଚର୍ଚ୍ଚାରେ ଗୁଡବୁକରେ ଥିବା ୩ ମନ୍ତ୍ରୀ ! ପ୍ରୋଫାଇଲରେ ପ୍ରମୋସନ ନେଇ ଚର୍ଚ୍ଚା :
ମୋଦି ମନ୍ତ୍ରୀମଣ୍ଡଳର ଗୁଟ୍ବୁକ ତାଲିକାରେ ଅଛନ୍ତି ୩ଜଣମନ୍ତ୍ରୀ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନବ ସମ୍ବଳ ବିକାଶମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ଶକ୍ତିମନ୍ତ୍ରୀ ପିୟୁଷ ଗୋୟଲ । ପ୍ରଦର୍ଶନ ଭିତିରେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପିୟୁଷ ଗୋୟଲ ଏବଂ ପ୍ରକାଶ ଜାଭଡେକରଙ୍କୁ ମଧ୍ୟ ମିଳିପାରେ ପ୍ରମୋସନ ।

କ’ଣ ହେବ ମନ୍ତ୍ରୀମଣ୍ଡଳର ସ୍ୱରୁପ ! ଛୋଟ କ୍ୟାବିନେଟ ବାଛିବେ କି ମୋଦି :
ମିନିମମ୍ ଗଭମେଂଟ୍, ମେକ୍ସିମମ୍ ଗଭର୍ଣ୍ଣାସର ନାରା ଦେଉଥିବା ମୋଦି, ଏଥର କ’ଣ କରିବେ? ବର୍ତମାନ ମନ୍ତ୍ରୀମଣ୍ଡଳର ସଂଖ୍ୟା ୭୩ ଥିବା ବେଳେ ଏହାକୁ ସର୍ବାଧିକ ୮୧ ଯାଏଁ ବଢ଼ାଯାଇପାରିବ । ପୂର୍ବରୁ ଦୁଇ ଦୁଇ ଥର ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ଏହି ସଂଖ୍ୟାକୁ ସୀମିତ ରଖିଥିଲେ ମୋଦି ସରକାର । ତେଣୁ ସମସ୍ତଙ୍କ ନଜର ଏଥର କଣ କରିବେ ।

୨୦୧୪ରେ ମୋଦି କ୍ଷମତାକୁ ଆସିବା ପରେ ଏହା ହେଉଛି ତୃତୀୟ ମନ୍ତ୍ରୀମଣ୍ଡଳ ଅଦଳବଦଳ । ଆଉ ୨୦୧୯ ନିର୍ବାଚନ ପୂର୍ବରୁ ହୁଏତ ମନ୍ତ୍ରୀମଣ୍ଡଳ ଅଦଳବଦଳର ଏହା ଶେଷ ପ୍ରୟାସ । ତେଣୁ ଏବେ ସମସ୍ତଙ୍କ ନଜର କାହାକୁ କେଉଁ ବିଭାଗର ଦାୟିତ୍ୱ ମିଳୁଛି । ଆଉ ମାତ୍ର ଗୋଟିଏ ଦିନ ପରେ ସ୍ପଷ୍ଟ ହୋଇଯିବ ଚିତ୍ର ।